ମିସାଇଲ୍‌ ମ୍ୟାନଙ୍କ ୮୯ତମ ଜନ୍ମଦିବସ


ନୂଆଦିଲ୍ଲୀ: କୋଟି ଭାରତୀୟଙ୍କର ମଉଡମଣୀ ଅତି ପ୍ରିୟ ରାଷ୍ଟ୍ରପତି ଥିଲେ ଡ.ଏପିଜେ ଅବଦୁଲ୍‌ କଲାମ୍‌। କେବଳ ଏତିକି ମିସାଇଲ୍‌ ମ୍ୟାନ୍‌ ଭାବରେ ସେ ଅଧିକ ପରିଚିତଥିବା ଏହି କିମ୍ବଦନ୍ତୀ ପୁରଷ ଭାରତକୁ ବିଶ୍ୱ ଦରବାରରେ ଉଚ୍ଚରେ ରଖିଥିଲେ । ଆଜି ସେହି ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ୮୯ ତମ ଜନ୍ମ ଜୟନ୍ତୀ। ସାରା ଦେଶ ଆଜି ତାଙ୍କ ଜନ୍ମ ଦିବସ ପାଳନ କରିବା ସହ ଜ୍ଞାନର ଅଧିକାରୀଙ୍କୁ ପ୍ରଣାମ ଜଣାଉଛି। ଆଜିର ଦିନକୁ ଛାତ୍ର ଦିବସ ଭାବେ ମଧ୍ୟ ପାଳନ କରାଯାଏ।
ଭାରତୀୟ ଗଣତନ୍ତ୍ରରେ ଏକାଦଶତମ ରାଷ୍ଟ୍ରପତି ଭାବେ ଆସନ ଗ୍ରହଣ କରିଥିଲେ ବିଶିଷ୍ଟ ବୈଜ୍ଞାନିକ ଡ.ଏ.ପି.ଜେ ଅବଦୁଲ କଲାମ୍‌ । ଭାରତର ସବୁ ଧର୍ମର ଲୋକ କଲାମଙ୍କୁ ଭଲ ପାଆନ୍ତି, ସମ୍ମାନ କରନ୍ତି। ଆଉ ସେ କହିଥିବା କଥାକୁ ଗ୍ରହଣ ମଧ୍ୟ କରନ୍ତି। ସେ ଅନେକ ଜ୍ଞାନର ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ନମ୍ର ବ୍ୟବହାର, ସରଳ ବ୍ୟକ୍ତିତ୍ୱ, ବିଜ୍ଞାନର ଜଟିଳ ଗଣ୍ଠିକୁ ସରଳ କରିବାକର କଳା ଯୋର୍ଗୁ ପ୍ରତିଟି ମଣିଷର ହୃଦୟରେ ଏକ ସ୍ୱତନ୍ତ୍ର ଚିହ୍ନ ଛାଡ଼ିଥାନ୍ତି। ତାଙ୍କର ଉଚ୍ଚ ଦୀକ୍ଷାନ୍ତ ଅଭିଭାଷଣ , ସରଳ ଜୀବନଯାପନ ଅନ୍ୟମାନଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି । ୨୭ଜୁଲାଇ ୨୦୧୫ରେ ତାଙ୍କର ବିୟୋଗ ହୋଇଥିଲା ।

ସେ ନିଜ କର୍ମମୟ ଜୀବନରେ ଗୋଟିଏ କଥା ଶିଖାଇଥିଲେ,‘ଯେଉଁ ସ୍ୱପ୍ନ ଶୋଇବା ବେଳେ ଦେଖୁଛ ତାହା ସ୍ୱପ୍ନ ନୁହେଁ, ସ୍ୱପ୍ନ ଯାହା ଆପଣଙ୍କୁ ଶୋଇବାକୁ ଦିଏ ନାହିଁ’।ତେଣୁ ଯେ କୈାଣସି ପରିସ୍ଥିତିରେ ଥିଲେ ବି ଯଦି ସ୍ୱପ୍ନକୁ ପୂରା କରିବାକୁ ଚାହୁଁଛନ୍ତି, ତାହେଲେ ସ୍ୱପ୍ନ ପୂରା କରିବା ଯାଏଁ ସଂଘର୍ଷ ଜାରି ରଖିବାକୁ ପଡିବ। ତାଙ୍କର ଏଭଳି ଉକ୍ତି ସମସ୍ତଙ୍କ ପାଇଁ ଖୁବ ପରିଚିତ। ଯାହା ହାରିଯାଉଥିବା ମଣିଷକୁ ଆଗକୁ ବଢିବା ପାଇଁ ସବୁବେଳେ ପ୍ରେରଣା ଯୋଗାଏ।

ଏହି ମହାନ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ଜନ୍ମ ହୁଏ ୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ୱରମ୍‌ ରେ। ତାଙ୍କ ପିତାଙ୍କ ନାମ ଥିଲା ଜୈନୁଲାବିଦ୍ଦିନ୍‌ ,ଯିଏ ବୋଟର ମାଲିକ ଥିଲେ। ତାଙ୍କ ମାତାଙ୍କ ନାମ ଥିଲା ଆସିଆମା ଯିଏ ଥିଲେ ଜଣେ ସୁଗୃହିଣୀ । ପିଲାଦିନେ ଗଣିତ କରିବାକୁ ସେ ଖୁବ୍‌ ଭଲପାଉଥିଲେ। ହାଇସ୍କୁଲ ଶିକ୍ଷା ପରେ ସେ ଉଚ୍ଚଶିକ୍ଷା ପାଇଁ ୧୯୫୫ରେ ମାଡ୍ରାସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ନାମ ଲେଖାଇଥିଲେ ।

୧୯୬୦ରେ ମାଡ୍ରାସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକନୋଲୋଜିରୁ ଶିକ୍ଷା ଗ୍ରହଣ ପରେ ସେ ଏରୋନେଟିକାଲ ଡେଭଲପ୍‌ମେଣ୍ଟ୍ ଏଷ୍ଟାବ୍ଲିସ୍‌ମେଣ୍ଟରେ ଯୋଗ ଦିଅନ୍ତି। ୧୯୮୦ ମସିହାରେ ଭାରତର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଭିକେ କୃଷ୍ଣ ମେନନ୍‌ କଲାମଙ୍କ ନିର୍ମିତ ଲାଞ୍ଜବିହୀନ ହୋଭର କ୍ରାଫ୍ଟ ‘ନନ୍ଦି’ ରେ ବସି ଆକାଶରେ ଉଡିଥିଲେ ଏବଂ କଲାମ୍‌ଙ୍କୁ ଏଥିପାଇଁ ବହୁ ପ୍ରଶଂସା ମଧ୍ୟ କରିଥିଲେ । କଲାମ ବମ୍ବେରେ ପ୍ରତିଦିନ ମହାକାଶ ଗବେଶଣା କେନ୍ଦ୍ରରେ ରକେଟ୍‌ ଇଂଜିନିୟର୍‌ ଭାବେ କାର୍ଯ୍ୟ କରୁଥିଲେ।

ଏହାପରେ କଲାମ ଡ଼କ୍ଟରର ବିକ୍ରମ ସରାଭା, ପ୍ରଫେସର ଏମ୍‌ ଜି କେ ମେନନ୍‌ଙ୍କ ପାଖରେ ପରୀକ୍ଷା ଦେଇ ବମ୍ବେରେ ମହାକାଶ ଗବେଷଣା କେନ୍ଦ୍ରରେ ରକେଟ୍‌ ଇଞ୍ଜିନିୟର୍‌ ଭାବେ କାର୍ଯ୍ୟ କରିଥିଲେ। ୧୯୬୯ରେ ସେ ଇସ୍ରୋକୁ ବଦଳି ହେଇଯାଇଥିଲେ । ଭାରତର ପ୍ରଥମ ସାଟେଲାଇଟ୍ ଏସ୍‌ ଏଲ୍‌ ଭି-IIIର ପ୍ରୋଜେକ୍ଟ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରି ଡ.କଲାମ ସଫଳତା ପାଇଥିଲେ ।

ଏହାପରେ ଡ. କଲାମ୍ ଇସ୍ରୋ ତ୍ୟାଗ କରି କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମର ଦାୟିତ୍ତ୍ୱ ନେଇଥିଲେ । ତାଙ୍କର ପ୍ରଚେଷ୍ଟା, ନେତୃତ୍ୱ ଓ ଗବେଷଣା ଫଳରେ ଡ଼େଭିଲ, ପୃଥ୍ୱୀ, ତ୍ରିଶୂଳ ଓ ଅଗ୍ନି ପ୍ରଭୃତି କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ କରାଯାଇଥିଲା । ଏହାଦ୍ୱାରା ଭାରତର ଗୌରବ ବୃଦ୍ଧି ପାଇଥିଲା । ଅଗ୍ନିର ସଫଳତା ଲାଗି କଲାମ୍‌ଙ୍କୁ କ୍ଷେପଣାସ୍ତ୍ର ମାନବ କୁହାଗଲା ।
ପୁଣି ୧୯୯୮ ମେ”୧୧ ଓ ୧୩ ତାରିଖରେ ରାଜସ୍ଥାନର ପୋଖରାନ୍ ଠାରେ ଆଣବିକ ପରୀକ୍ଷା କରି ସେ ବେଶ୍ ଚର୍ଚ୍ଚିତ ହୋଇପାରିଥିଲେ । ସେହି ଦେଶପ୍ରେମୀ‌ଙ୍କ ଅବଦାନ ଫଳରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହୋଇପାରିଛି । ଡ.କଲାମ୍‌ଙ୍କ ନିଷ୍ଠାପର ସାଧନା ଓ ଅବଦାନ ପାଇଁ ତାଙ୍କୁ ମିଳିଥିଲା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବହୁ ସମ୍ମାନ ଓ ପୁରସ୍କାର । ଭାରତ ସରକାରଙ୍କ ତରଫରୁ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମବିଭୂଷଣ,୧୯୯୭ରେ ଭାରତରତ୍ନ ଆଦି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଥିଲା । ପିଲାମାନଙ୍କୁ ଖୁବ୍‌ ଭଲ ପାଉଥିଲେ ସେ ।