୨୦୨୪ ନିର୍ବାଚନ ପାଇଁ କଣ ସବୁ ଏଜେଣ୍ଡା ପ୍ରସ୍ତୁତ କରୁଛି ବିଜେପି

                                   

ନୂଆଦିଲ୍ଲୀ:ତୃଣମୂଳ ସ୍ତରରେ ଦଳକୁ ମଜବୁତ୍ କରିବା ଏବଂ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଯୋଜନା ହିତାଧିକାରୀଙ୍କୁ ପହଞ୍ଚିବା ଏ ସମସ୍ତ ଦିଗକୁ ନେଇ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀର ଆଜି ହେଉଛି ଦ୍ୱିତୀୟ ଦିନ। ଦିଲ୍ଲୀରେ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ବିଭିନ୍ନ ଏଜେଣ୍ଡା ଉପରେ ଆଲୋଚନା ହୋଇଛି । ଗତକାଲି ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସମେତ ୩୫ କେନ୍ଦ୍ର ମନ୍ତ୍ରୀ, ୧୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ପ୍ରାୟ ସମସ୍ତ ରାଜ୍ୟର ସଭାପତି ଅଂଶଗ୍ରହଣ କରିଥିଲେ ଏବଂ ଦଳକୁ କିଭଳି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିବ ସେନେଇ ଗୁରୁମନ୍ତ୍ର ଦେଇଥିଲେ ମୋଦି। ଏହି ଦୁଇ ଦିନିଆ ବୈଠକରେ ଫୋକସ୍ ରହିଛି ୨୦୨୪ ସାଧାରଣ ନିର୍ବାଚନରେ ପ୍ରତ୍ୟେକ ରାଜ୍ୟରେ ଡବଲ ଇଞ୍ଜିନ୍ ଗଡିବ ସେନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି ।

ଗତକାଲି ଏହି ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଉପସ୍ଥାପିତ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ଦଳର ସଭାପତି ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଓଡ଼ିଶାରୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ଏକ ରୋଡ୍ ଶୋ’ ମଧ୍ୟ କରିଥିଲେ ଯେଉଁଥିରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା ଯାହାକୁ ଦେଖି ସହଜରେ ବାରି ହେଉଥିଲା କି ଦେଶରେ ମୋଦି ଫେବର କେତେ ।

ସେପଟେ ଜାନୁଆରୀ ୨୦ରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ଆଗାମୀ ନିର୍ବାଚନ ପାଇଁ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବଢ଼ାଯାଇପାରେ ବୋଲି କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇପାରେ । ସେହିପରି ବରିଷ୍ଠ ନେତାଙ୍କୁ ସଙ୍ଗଠନ ଦାୟିତ୍ୱ ଦିଆଯାଇପାରେ । ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସେହି ରାଜ୍ୟର କିଛି ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ କରାଯାଇପାରେ । ଏହାରି ଭିତରେ ଓଡ଼ିଶା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତେଣୁ ତାଙ୍କ କାର୍ଯ୍ୟକାଳ ଆଗକୁ ବଢ଼ିବା ନେଇ କାର୍ଯ୍ୟକାରିଣୀ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏଥିସହ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଦାୟିତ୍ୱ ପାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂଗଠନର କିଛି ଗୁରୁଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି ।