ପଦ୍ମପୁର ରେ ପ୍ରତିଶ୍ରୁତି ର ବର୍ଷା କଲେ ନବୀନ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତ କରି ହାଇଭୋଲଟେଜ୍ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଥମେ ପଦ୍ମପୁର ର ଝାରବନ୍ଧ, ପାଇକମାଳ ରେ ପ୍ରଚାର କରିଥିଲେ ପରେ ପଦ୍ମପୁରରେ ପହଞ୍ଚି ପ୍ରଚାର କରିଥିଲେ । ଏହି ଜନସଭାରେ ବର୍ଷା ସିଂ ବରିହା ମୁଖ୍ୟମନ୍ତ୍ରୀଙ୍କୁ ଭୂମିଷ୍ଠ ପ୍ରଣାମ କରିଥିଲେ । ନବୀନ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ଭୋଟ ବ୍ୟାଙ୍କ ହାତେଇବା ପାଇଁ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଭୁଆଁ ବୁଲେଇବାରେ ଲାଗିଛି। କିନ୍ତୁ ବିଜେଡ଼ି ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ । କେନ୍ଦ୍ର କେନ୍ଦୁପତ୍ର ତୋଳାଳୀ ଗରିବ ଆଦିବାସୀ ମାଁ ଭଉଣୀଙ୍କୁ ଶୋଷଣ କରୁଛି। ଗୋଟେ ପଟେ କେନ୍ଦ୍ର ସୁନା ବ୍ୟବସାୟୀ ମାନଙ୍କ ଠାରୁ ମାତ୍ର ୩ପ୍ରତିଶତ ଜିଏସଟି ନେଉଥିବାବେଳେ କେନ୍ଦୁପତ୍ର ତୋଳାଳୀଙ୍କ ଠାରୁ ୧୮ପ୍ରତିଶତ ଜିଏସଟି ଆଦାୟ କରୁଛି କେନ୍ଦ୍ର। ଏଥିରୁ ସ୍ପଷ୍ଟ ଯେ କେନ୍ଦୁପତ୍ର ତୋଳାଳୀ ପାଇଁ ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କେନ୍ଦ୍ର ସରକାରର ହୋଇଥିଲେ ମଧ୍ୟ ରାଜ୍ୟ ସରକାର ୫୦ପ୍ରତିଶତ ପ୍ରିମିୟମ ଦେଉଛି ଏବଂ ୬୩୦କୋଟି ରାଜ୍ୟ ଦେଇଛି । ରାଜ୍ୟ ସରକାର ମହିଳା ମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ବିନା ସୁଧରେ ୫ଲକ୍ଷ ପଯ୍ୟନ୍ତ ୠଣ ଦେବାର ଯୋଜନା କରିଛି ।

ପଦ୍ମପୁର ରେଳ ଲାଇନ କୁ ନେଇ କେନ୍ଦ୍ର କୁ ପୁଣି ଟାର୍ଗେଟ କଲେ ନବୀନ । ୨୦୧୮ରେ କେନ୍ଦ୍ର ରେଳମନ୍ତ୍ରୀ ପଦ୍ମପୁର ରେଳ ଲାଇନ ନେଇ ପ୍ରତିଶ୍ରୁତି ଦେଇଥିଲେ । ଏଯାବତ୍ ରେଳ ଲାଇନ ହେଲା କି ? ପଦ୍ମପୁର ଅଞ୍ଚଳରେ କେଉଁ କେଉଁ ଅଞ୍ଚଳରେ ଦେଇ ଟ୍ରେନ ଯାଉଛି, ପଦ୍ମପୁର ରେଳ ଷ୍ଟେସନ କେଉଁଠି ଅଛି ବୋଲି କେନ୍ଦ୍ର କୁ ପ୍ରଶ୍ନ କରିଛନ୍ତି ନବୀନ। ଏଥିସହିତ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଗଠନମୂଳକ ପଦକ୍ଷେପ ନେଇଛନ୍ତି ଯେପରି ଗରୀବ ପିଲାଙ୍କୁ ଡାକ୍ତର, ଇଞ୍ଜିନିୟରିଂ ପାଠପଢ଼ା ପାଇଁ ୧୫ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା, ପିଲାମାନଙ୍କର ଉନ୍ନତ ଶିକ୍ଷା ପାଇଁ 5T ସ୍କୁଲ ରୁପାନ୍ତର କରାଯାଉଛି । ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ BSKY ରେ ଅନେକ ହିତାଧିକାରୀ ଉପକୃତ ହେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଚାଷୀ, ମହିଳା ସଶକ୍ତିକରଣ ଆଦି କୁ ମୁଦ୍ଦା କରି ଲୋକଙ୍କୁ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ। ସାଢେ଼ ୪କୋଟି ଓଡ଼ିଶାବାସୀ ମୋର ପରିବାର ବୋଲି ନବୀନ କହିବା ସହିତ ବିଜେପୁର ଭଳି ପଦ୍ମପୁର ମୁଁ ଯାହା କହିଛି ତାହା ସବୁ କରିବି ବୋଲି ଆଶାର ଆଲୋକ ଦେଖାଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ କାମ କରିଥିବି ଲିଷ୍ଟ ନେଇ ଆସିବି ବୋଲି ମଧ୍ୟ ଦମ୍ଭତ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆପଣଙ୍କ ସ୍ୱପ୍ନ ନିଶ୍ଚିତ ପୂରଣ ହେବ ଏଥିପାଇଁ ପାଇଁ ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରି ଶଙ୍ଖ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ବର୍ଷାଙ୍କୁ ଜୟଯୁକ୍ତ କରନ୍ତୁ ବୋଲି ନବୀନ ଅନୁରୋଧ କରିଛନ୍ତି।