୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ

ଜଳ ହିଁ ଜୀବନ।ଜଳ ପାଇଁ ଓଡ଼ିଶାବାସୀ ଙ୍କୁ ଆଉ ଟହଲବିକଳ ହେବାକୁ ପଡିବ ନାହିଁ । ଗ୍ରୀଷ୍ମ ଦିନର ଆଗମନ ହେବା ପୂର୍ବରୁ ହିଁ ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ। ସମସ୍ତଙ୍କ ମୁହଁରେ ହସ ଫୁଟିବ ଏବଂ ଘଣ୍ଟା ଘଣ୍ଟା ଧରି ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ।5T ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଲେ ଯେ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଧାଡି ବାନ୍ଧି ଅପେକ୍ଷା କରିବା, ପାଣିକୁ ସାଇତି ରଖିବା ଆଦି ସବୁ ଜଞ୍ଜାଳରୁ ମୁକ୍ତି ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ବେଶ୍ ଖୁସି ବ୍ୟକ୍ତି କରିଛନ୍ତି।ଗତକାଲି ଲୋକସେବା ଭବନରେ କନ୍‌ଭେନସନ ହଲରେ ମୁଖ୍ୟମନ୍ତ୍ରୀ 5T ଉପକ୍ରମ ରେ ରାଜ୍ୟର ୧୯ଟି ସହରରେ ୨୪X୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି।ଭୁବନେଶ୍ବର, କଟକ, ନିମାପଡା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡା, ବଡବିଲ୍‌, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର। ଏହିସବୁ ସହର ଗୁଡିକର ୫.୫୦ ଲକ୍ଷ ଲୋକ ଏଥିରୁ ଉପକାର ପାଇଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ 5T ଉପକ୍ରମ ରେ ପୁରୀରେ ସବୁ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ମିଳିଥିଲା। ଆଜି ଗୋପାଳପୁରରେ ମଧ୍ୟ, ରାଜ୍ୟର ଦ୍ବିତୀୟ ସହର ଭାବରେ ଶତପ୍ରତିଶତ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥାର ସୁବିଧା ମିଳିଲା। ଏହାବ୍ୟତୀତ ଖୋର୍ଦ୍ଧା, ଜଟଣୀ ଓ ହିଞ୍ଜିଳିକାଟୁ ସହର ପାଇଁ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମର ଆରମ୍ଭ ଘୋଷଣା କରିଥିଲେ । ଏହାଦ୍ବାରା, ଏହି ୩ଟି ସହରର ୧.୫୦ ଲକ୍ଷ ଲୋକ ଉପକାର ପାଇବେ ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ବହୁତ ଦିନର ସ୍ବପ୍ନ ଏବଂ ଏହା ସବୁବେଳେ ମୋ ସରକାରର ପ୍ରାଥମିକତା ହୋଇ ରହିଛି। ୧୯ଟି ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ସେବାରେ ଯୋଡି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଏକ ଐତିହାସିକ ଦିନ। ଜଳ ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ। ତେଣୁ ଆମେ ଏହାକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବୁନ୍ଦା ଜଳ ନଷ୍ଟ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ ନେତୃତ୍ବ ଯୋଗୁ ଆଜି ଓଡିଶାବାସୀ ଉନ୍ନତ ମାନର ସେବା ପାଇପାରୁଛନ୍ତି। ସ୍ବଚ୍ଛ ପାନୀୟ ଜଳ ଯୋଗାଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ସେ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଓ ୱାଟକୋର ସିଇଓ ଶ୍ରୀ ପି.କେ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବରର ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ୧୯ଟି ସହରର ନେତୃବୃନ୍ଦ, ଅଧିକାରୀଗଣ ଓ ଜନସାଧାରଣ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିଲେ ।