ଗଣଶିକ୍ଷା ମନ୍ତ୍ରୀଙ୍କ ଓଡ଼ିଆ ପାଠ, ଦାଶ ନା ଦାସ!

ଦୂରତଃ ଶୋଭତେ ମୂର୍ଖଃ ଲମ୍ବଶାଟ ପରାବୄତଃ ।
ତାବତ୍ ଚ ଶୋଭତେ ମୂର୍ଖଃ ଯାବତ୍ କିଞ୍ଚିତ୍ ନ ଭାଷତେ ।।

ଉପର ଲିଖିତ ସଂସ୍କୃତ ଶ୍ଲୋକଟି କେତେବେଳେ କେଉଁ ମହାପୁରୁଷ କେଉଁଠାରେ କେଉଁ ପ୍ରସଙ୍ଗରେ କହିଥିଲେ, ଯଦିଓ ସଠିକ ଭାବେ କହିବା ଆମ ଜ୍ଞାନର ପରିସୀମା ବାହାରେ ତଥାପି ସେହି ମହାପୁରୁଷଙ୍କୁ ଆଜି ଆମର ମଥାନତ ଜୁହାର। କାରଣ ଆଜି ଏଇ କଥାଟି ଆମ ରାଜ୍ୟ ଶାସନରେ ପୁରାପୁରି ପ୍ରଯୁଜ୍ୟ।

ଆମ ରାଜ୍ୟର ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଲାଗିଥିବା ମନ୍ତ୍ରୀଙ୍କର ନିଜର ଦୁଇଟି ନାମ ଫଳକରେ ମନ୍ତ୍ରୀଙ୍କ ନାଁ ସହିତ ସାଙ୍ଗିଆ “ଦାଶ” ଓ “ଦାସ” ଦୁଇ ପ୍ରକାର ବନାନ। ଏହା ଯେଉଁ ଆଗନ୍ତୁକଙ୍କ ଆଖିରେ ପଡ଼ୁଥିବ, ସେ ନିଶ୍ଚୟ ଆମ ରାଜ୍ୟର ଶାସନ, ପ୍ରଶାସନ, ଶିକ୍ଷା, ଦୀକ୍ଷା, ବ୍ୟବସ୍ଥା ଇତ୍ୟାଦିକୁ ଭୂରି ଭୂରି ପ୍ରଶଂସାରେ ପୋତି ପକଉଥିବେ!

ଦୂରରୁ ଯେତେ ପ୍ରଶଂସା ପୁରଷ୍କାର ସାଉଁଟିଲେ କିସ ଲାଭ? ଆମେ ଯଦି ଆମ ପାଖ ପଡ଼ୋଶୀ ସଭ୍ୟ ଶିକ୍ଷିତ ସମାଜରେ ବାରମ୍ବାର ନିନ୍ଦିତ ହେଉଥିବା? ଭାଟମାନେ ତ କାହାର ନୁହନ୍ତି ଯାହାଠୁ ଯେତେବେଳେ ଖାଇବେ ଜିନ୍ଦାବାଦ୍ କରିବେ ଆଉ ଜ୍ଞାନୀ ଗୁଣୀଲୋକ ମୁହଁରେ ନକହିଲେ ମଧ୍ୟ ପଛରେ ତ ଆଲୋଚନା ସମାଲୋଚନା କରିବେ ନିଶ୍ଚୟ!

ସାରାବିଶ୍ଵରେ ସମସ୍ତେ ଜାଣନ୍ତି, ଯେଉଁ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଯେତେ ସମୄଦ୍ଧ ସେ ଜାତି, ସେ ରାଜ୍ୟ, ସେ ଦେଶ ସେତେ ପ୍ରଗତିଶୀଳ ସେତେ ବିକାଶନ୍ମୁଖି। ସମୄଦ୍ଧ ଓଡ଼ିଆ ଭାଷା ବିଷୟରେ ଆଲୋଚନା କରିବା ଅନାବଶ୍ୟକ। ଓଡ଼ିଶା ମାଟିରେ ଜନ୍ମ ଗ୍ରହଣ କରିଥିବା ଅନେକ କିମ୍ବଦନ୍ତୀ ପୁରୁଷ ଓଡ଼ିଆ ଭାଷାରେ ଅସଂଖ୍ୟ ପୋଥି, ପୁରାଣ, ସାହିତ୍ୟ ରଚନା କରିଛନ୍ତି। ସେଇମାନଙ୍କର ବର୍ଷ ବର୍ଷର ନିରନ୍ତର ସାହିତ୍ୟ ସାଧନା ପାଇଁ ହିଁ ଆଜି ଆମ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଏତେ ସମ୍‍ୃଦ୍ଧ ଓ ପ୍ରତିଷ୍ଠିତ ଏବଂ ପ୍ରତିଦିନ ଅସଂଖ୍ୟ ବିଦେଶୀ ଗବେଶକ ମାନଙ୍କୁ ଆକର୍ଷିତ କରିପାରୁଛି।

ଇତିହାସ ମୂକସାକ୍ଷୀ। ଓଡ଼ିଆ ଭାଷା ଅତୀତରେ ଅନେକ ଚକ୍ରାନ୍ତର ଶିକାର ହୋଇଛି। ଶୁଦ୍ରମୁନି ଶାରଳା ଦାସଙ୍କ ସମୟରେ ସଂସ୍କୃତର ପ୍ରଭାବ, ବଳରାମ ଦାସଙ୍କ ସମୟରେ ସୁଫି ଲେଖକଙ୍କ ଭାବପ୍ରବଣତା ସାହିତ୍ୟ, ଇଂରେଜ ଶାସନ କାଳରେ ବଙ୍ଗାଳିଙ୍କ ଦୀର୍ଘ ଚକ୍ରାନ୍ତ ସତ୍ତ୍ୱେ ଆମ ପୂର୍ବ ପୁରୁଷମାନଙ୍କର ଲେଖନୀ ଚାଳନା କେବେ ପରାଜୟ ସ୍ଵୀକାର କରିନଥିଲା। କିନ୍ତୁ ଆଜି ଯେଉଁଭଳି ଦୁର୍ଦ୍ଦିନରେ ଆମ ଭାଷା ସାହିତ୍ୟ, ତାହାର ପ୍ରମାଣ ଇତିହାସରେ କେବେ ନାହିଁ।

ଓଡ଼ିଆ ଭାଷାର ଗୁରୁତ୍ୱକୁ ଅନୁଭବ କରି ମାର୍ଚ୍ଚ ୧୧, ୨୦୧୪ରେ ଭାରତ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବା ନେଇ ବିଧିବଦ୍ଧ ବିିଜ୍ଞପ୍ତି ପ୍ରକାଶ କଲେ। ଅବଶ୍ୟ ତା ପୁର୍ବରୁ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର, ପ୍ରସାର ଓ ଗବେଷଣା ନିମନ୍ତେ, ଓଡ଼ିଶା ସରକାର ୨୦୦୬ ମସିହା ଅପ୍ରେଲ ୧ ତାରିଖ ଉତ୍କଳ ଦିବସ ଦିନ “ଓଡ଼ିଆ ଭାଷା ପ୍ରତିଷ୍ଠାନ” ପ୍ରତିଷ୍ଠା କରିଛନ୍ତି। କିନ୍ତୁ “ଶୁଆ ପୋଷିଲେ କି ହେବ ରାମ ନାମ ନଘୋଷିଲେ”? ବିଡ଼ମ୍ଵନାର କଥା! ଆମେ ଆମର ବହୁ ମୁଲ୍ୟବାନ ପୁରାତନ ରଚନାବଳୀ, ଗ୍ରନ୍ଥ, ପୋଥି ଇତ୍ୟାଦିକୁ ବିଭିନ୍ନ ବିଦେଶୀ ଭାଷାରେ ଅନୁବାଦ କରି ବିଶ୍ଵ ଦରବାରରେ ପରିଚିତ କରିବା ବଦଳରେ ନିଜେ ସେ ସବୁକୁ ମୋଡ଼ି ମକଚି ଧ୍ଵଂସ କରି ଦେଉଛେ।

ଓଡ଼ିଆ ଭାଷା ପ୍ରତିଷ୍ଠାନର ନିୟମ ଅନୁଯାୟୀ ଏହାର ସାଧାରଣ ପରିଷଦରେ ମୂଖ୍ୟମନ୍ତ୍ରୀ ସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଉପସଭାପତି ଭାବରେ ରହିବେ। ସେହିପରି କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟକରିବେ। କିନ୍ତୁ ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଦୁଇ ଦଶନ୍ଧିରୁ ଅଧିକ ଆମର ମୁଖ୍ୟମନ୍ତ୍ରୀ ରୋମାନ୍‍ ଲିପିରେ ଲିଖିତ ଭାଷଣକୁ ପଢ଼ି ଓଡ଼ିଆ କହୁଥିବା ବିଭିନ୍ନ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହେଉଛି। ଆଉ ଓଡ଼ିଆ ପୁଅ ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ତାଙ୍କ ନିଜ ସାଙ୍ଗିଆ ବନାନ ବିଷୟରେ ଅଜ୍ଞ। ମନ୍ତ୍ରୀଙ୍କ ଘର ଆଗରେ ଲାଗିଥିବା ନାମ ଫଳକଠୁ ଆଉ କ’ଣ ବଡ଼ ପ୍ରମାଣ କୁହାଯାଇପାରେ? କେତେ ଲଜ୍ଜା କର କଥା କହିଲେ? ଏଭଳି ପରିସ୍ଥିତିରେ ଓଡ଼ିଆ ଭାଷା ସାହିତ୍ୟର କେମିତିଆ ପ୍ରଚାର ପ୍ରସାର ଉନ୍ନତି ହେବ?

ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ପ୍ରତ୍ୟେକ ଦିନ ଦେଶ ବିଦେଶରୁ କେତେ ଜ୍ଞାନୀ ଗୁଣୀ, ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସରକାରୀ ଅଧିକାରୀ ଆସୁନଥିବେ! ମନ୍ତ୍ରୀଙ୍କ ଦୁଆର ମୁହଁରେ ଦୁଇ ପ୍ରକାର ଏଭଳି ଦୁଇ ପ୍ରକାର “ଦାଶ” ଓ “ଦାସ” ଦେଖି ନିଜକୁ ଧିକ୍କାର କରୁନଥିବେ ନିଶ୍ଚୟ! ଏଭଳି ମନ୍ତ୍ରୀଙ୍କ ହାତରେ ଯେଉଁ ରାଜ୍ୟର ଶିକ୍ଷା ବିଭାଗ, ସେ ରାଜ୍ୟର ଶିକ୍ଷା ବ୍ୟବସ୍ଥା କେତେ ଦୟନୀୟ ହେଇନଥିବ ସତରେ! ମାଙ୍କଡ଼ ହାତରେ ଶାଳଗ୍ରାମ, ନଚେଇ ନଚେଇ ନେଲା ପ୍ରାଣ!

ଏଭଳି ସରକାରଙ୍କ ଠାରୁ ଭାଷା ଉକ୍ରର୍ଷ କେନ୍ଦ୍ର, ସରକାରୀ ଭାଷାରେ ଓଡ଼ିଆ ଭାଷାର ବ୍ୟବହାର, ସ୍ୱତନ୍ତ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟ ଇତ୍ୟାଦି ଆଶା କରିବା ଯାହା ବନ୍ଧ୍ୟା ସ୍ତ୍ରୀ ଠାରୁ ସନ୍ତାନ ଆଶା କରିବା ସେଇଆ ନୁହେଁ କି?

କଥାରେ ଅଛି, ଗାଁ ପରିମଳ ଧୋବା ତୁଠରୁ! ଜ୍ଞାନୀ ଗୁଣୀଲୋକମାନେ କୁହନ୍ତି ଗାଁ ମୁଣ୍ଡ ପୋଖରୀରେ ଧୋବା ତୁଠକୁ ଦେଖିଦେଲେ ଜଣାପଡ଼େ ସେ ଗାଁର ଲୋକମାନଙ୍କ ପରିଷ୍କାର ପରିଛନ୍ନତା ବିଷୟରେ। ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀଙ୍କ ଦୁଆର ମୁହଁରୁ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଜଳଜଳ ହେଇ ଦେଖା ଯାଉଛି। ଧନ୍ୟ ଏ ରାଜ୍ୟର ନାଗରିକ, ଧନ୍ୟ ଏ ରାଜ୍ୟର ଶାସକ ପ୍ରଶାସକ। କାହାକୁ କହିବା ଶୁଣିବ କିଏ!