ଗଳ୍ପ – ବହୁରୂପି… ପାରିବାରିକ କାହାଣୀ ନିଶ୍ଚୟ ପଢନ୍ତୁ !!!


କନକ ମାଇଁ (ଲେଖାଯୋଖା ମାଇଁ ଶାଶୁ)ଙ୍କୁ ସେଦିନ ହଠାତ ଘରେ ଦେଖୁ ଦେଖୁ ମନଟା ଆମ୍ବିଳା ହେଇଗଲା ମୋର..ଯେତେବେଳେ ଦେଖିବେ ବେଶ ଭୂଷାକୁ ନେଇ ସମାଲୋଚନା କରିବେ..”ହାତରେ କ’ଣ ସୁନା ଚୂଡ଼ି ପଟେକୁ,ମାଟି ଶଂଖା ପଟେ ପିନ୍ଧିଛୁ..ପାଣି ଚୂଡ଼ି ତୋର କୁଆଡେ ଗଲା” ବୋଲି ପଚାରିବେ..ମୁଁ କିଛି ନକହୁଣୁ ଗୁଡ଼ାଏ ପରାମର୍ଶ ଦେଇସାରିଥିବେ..”ଚାକିରୀ ବାକିରୀ କଲ ବୋଲି କଣ ଓଡ଼ିଆ ଘରର ସଂସ୍କୃତି ଭୁଲିଯିବ?? …”କୁଙ୍କୁମ ଭଳିଆ ସିନ୍ଦୁର କ’ଣ ଲଗୋଉଛୁ ବା ମଥାରେ..ସିନ୍ଦୁର ଫରୁଆ,ଗୁଣ୍ଡ ସିନ୍ଦୁର ରଖିବୁ ନା..ବୋହୂ ଗୁଡ଼ା ଚୁଟି କ’ଣ ମୁକୁଳା କରି ବୁଲିବ ବା” ବୋଲି କହନ୍ତି ମାଇଁ…

୫ ବର୍ଷ ତଳେ ମୋ ବାହାଘର ହୋଇଥିଲା..ବାହାଘର ଦିନ ମୁଁ ଲେହେଙ୍ଗା ପିନ୍ଧିଥିଲି ..”ଓଡ଼ିଆ ଘର ଆମର, ଶାଡ଼ୀଟେ ନପିନ୍ଧି ଏଗୁଡ଼ା କଣ ପିନ୍ଧିଛୁ ମ” ବୋଲି ବରଯାତ୍ରୀରେ ଯାଇଥିବା ବେଳେ ତାଗିଦ୍ କରିଥିଲେ କନକ ମାଇଁ..ଚାକିରୀକୁ ନେଇ ବି କମ୍ କଥା କହିନାହାଁନ୍ତି ମାଇଁ..”ଘର ସଂସାର ଦେଖିବ ନା ଚାକିରୀ, ପଇସାକୁ ଧରି ଥେଇ ଥେଇ ହବ ବା..ଶାଶୁ, ଶ୍ବଶୁର, ନଣନ୍ଦ, ଦିଅର, ବନ୍ଧୁବାନ୍ଧବ ଆସିଲା ଗଲା, ଦବାନବା ସବୁ ଦେଖିବାକୁ ପଡ଼ିବ..ଅଫିସ ଟାଇମ୍ ହେଇଯାଉଛି କହି ପଳେଇଲେ କ’ଣ ହବ”…ରିସେପସନ ଭୋଜି ଖାଇ ଚତୁର୍ଥୀ ଦିନ ଯିବା ଯାଏଁ କନକ ମାଇଁଙ୍କର ଭାଷଣବାଜି ଚାଲିଥାଏ…

ବାହାଘର, ବ୍ରତଘର, ସଂପର୍କୀୟ କେହି ଚାଲିଯାଇଥିଲେ ସେମାନଙ୍କ ଏକାଦଶାହରେ କନକ ମାଇଁଙ୍କ ସହ ଦେଖାହୁଏ..ଗହଳି ଭିତରେ ଥରେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଦେଇଥିଲି..ବାସ୍ ସେଇଠୁ ଭାଷଣ ଆରମ୍ଭ ହୋଇଗଲା..”ଆଣ୍ଠେଇକି, ମୁଣ୍ଡ ତଳେ ଲଗାଇ ଗୁରୁଜନଙ୍କ ପାଦ ଛୁଅଁନ୍ତି..ତାକୁ କୁହାଯାଏ ସଣ୍ଠଣା”..ବନ୍ଧୁବାନ୍ଧବ ଗହଳି ଭିତରେ ମୁଣ୍ଡିଆ ମରାକୁ ନେଇ ଏମିତି କଡ଼ା କଥା ସବୁ କନକ ମାଇଁ କହିଲେ ଯେ ମୋ ଆଖି ଛଳଛଳ ହେଇଗଲା…

ଶକ୍ତି (ପୁଅ) ୨-୩ ମାସର ହୋଇଥାଏ..ପୁଅକୁ କନକ ମାଇଁ ଦେଖିବାକୁ ଆସିଥାଆନ୍ତି..ଚା ୪ କପ୍ ଧରି ମୁଁ ଡ୍ରଇଁ ରୁମ୍ କୁ ଆସିଲି..କପେ ବାପା (ଶ୍ବଶୁରଙ୍କୁ), କପେ ମାମା (ଶାଶୁଙ୍କୁ) କପେ କନକ ମାଇଁଙ୍କୁ ବଡ଼େଇଦେଲି..ଆଉ କପେ ମୁୁଁ ଧରି ସେଇଠି ବସିପଡ଼ିଲି..୧୦ ମିନିଟ୍ ବସି କଥାବାର୍ତ୍ତା ହେଇଛି କି ନାହିଁ ହଠାତ୍ କନକ ମାଇଁ କହିଲେ, “ଶ୍ବଶୁର ସାମ୍ନାରେ ଚା କପ୍ ଧରି ଗପ ମାରିବା ଆମ ଓଡ଼ିଆ ଘରର ଚଳଣି ନୁହେଁ”.. ଶାଶୁ,ଶ୍ବଶୁରଙ୍କ ମନ କେମିତି ଚିହ୍ନାଯାଏ, କଣ କଲେ ସେମାନେ ଖୁସି ହେବେ ଗୁଡ଼ାଏ ପରାମର୍ଶ ବି ଦେଇକି ଗଲେ…

ଆଜି କନକ ମାଇଁ ଆସିଥିଲେ ପୁଅ ଦେବର ବାହାଘର ନିମନ୍ତ୍ରଣ ନେଇ..ପୁଅ ଜର୍ମାନୀରେ..ବୋହୂ ସୁଚିତ୍ରା ଦିଲ୍ଲୀରେ ରହି ରିସର୍ଚ୍ଚ କରୁଛି..”ବାହାଘର ପରେ ସୁଚିତ୍ରା ଜର୍ମାନୀ ଯାଇକି ସେଠି ଚାକିରୀ କରିବ” ବୋଲି କହିଲେ ମାଇଁ…”ଚାକିରୀ ପାଇଁ ସୁଚିତ୍ରା ତା ବାୟୋଡାଟା ଦେବକୁ ପଠେଇସାରିଛି”…ମୁଁ ପଚାରିଲି, “ମାଇଁ ମାର୍କେଟିଂ ସରିଲାଣି?? “ସୁଚିତ୍ରାକୁ କହିଦେଇଛି ଦିଲ୍ଲୀରୁ ଆସିବା ବେଳେ ଲେହେଙ୍ଗା ଚଏସ କରି ଆଣିବ..ତା ଆକାଉଣ୍ଟରେ ସେଥିପାଇଁ ୩୦ ହଜାର ଟଙ୍କା ଡିପୋଜିଟ୍ କରିଦେଇଛି” ବୋଲି ମାଇଁ କହିଲେ…

ସୁଚିତ୍ରା- ଦେବର ବାହାଘର ୧୭-୧୮ ଦିନ ହେଇଥାଏ..ଶକ୍ତିର ଥାର୍ଡ ବାର୍ଥ ଡେ ପଡ଼ିଲା..ସମସ୍ତଙ୍କୁ ଡାକିଥିଲୁ ଆମେ..କନକ ମାଇଁ, ସୁଚିତ୍ରା-ଦେବ ଆସିଥିଲେ..ସୁଚିତ୍ରା ସ୍ଲିଭ ଲେସ୍ ଗାଉନ ପିନ୍ଧିଥିଲା..ଗୋଟେ ହାତରେ ବ୍ରେସଲେଟ୍ ଆର ହାତରେ ଘଣ୍ଟା ଥିଲା..ଷ୍ଟ୍ରେଟନିଂ ହେୟାର ଖୋଲା ଥିଲା..ମତେ ଦେଖିକି ସୁଚିତ୍ରା “ହାୟ” କହିଲା..କନକ ମାଇଁ ସମସ୍ତଙ୍କୁ ଚିହ୍ନେଇ ଦେଉଥିଲେ ମୋ ବୋହୂ ବୋଲି..

ମୁଣ୍ଡରୁ ଟିକେ ଲୁଗା ଖସିଲେ ମାମୁଁ ଆସିଲେଣି ଓଡ଼ଣାଟା ଦେଇପକା ବୋଲି କହୁଥିବା ମାଇଁ ନିଜ ବୋହୂ ପାଇଁ ପୁରା ମଡର୍ଣ୍ଣ ଶାଶୁ ପାଲଟିଯାଇଥିଲେ..ପର ବୋହୂକୁ ସବୁବେଳେ ସମାଲୋଚନା, ତାଗିଦ୍ କରୁଥିବା କନକ ମାଇଁ ନିଜ ବୋହୂ ସହ ସାଲିସ୍ ହେଇ ଚଳିବାକୁ କୃତିମ ଖୋଳପା ଏବଂ ମୁଖାର ସାହାରା ନେଇଥିଲେ ….
ଅଣୁଗପ
ଭୁବନେଶ୍ଵରୀ ପଣ୍ଡା