କୋରାପୁଟରେ ଗଂଜେଇ ମାଫିଆକୁ ଏସ୍ କୋର୍ଟ ଦେଉଛି କିଏ ?

କୋରାପୁଟ ଜିଲ୍ଲା ଜୟପୁର ସହରକୁ ଗଂଜେଇ ମାଫିଆର ଭୂସ୍ବର୍ଗ ପାଲଟିଥିବା ବେଳେ ଜୟପୁର ରାଜ୍ୟରାଜପଥ ଦେଇ ରାଜ୍ୟ ତଥା ରାଜ୍ୟ ବାହାରେ ଗଂଜେଇ ଚୋରାଚାଲାଣ ହୋଇଥାଏ। ପୋଲିସର ମାଳମାଳ ପ୍ରେସମିଟ୍ ସାଙ୍ଗକୁ କୁଇଣ୍ଟାଲ କୁଇଣ୍ଟାଲ ଗଂଜେଇ ଜବତ କରି ମାଫିଆମାନଙ୍କୁ କୋର୍ଟଚାଲାଣ କରାଯାଉଥିଲା କିନ୍ତୁ ଚଳିତ ବର୍ଷ ଗଂଜେଇ ମାଫିଆକୁ ଧରିବାରେ ପୋଲିସ ଓ ଅବକାରୀ ବିଭାଗ ଏତେଟା ସଂକ୍ରିୟ ନୁହନ୍ତି ବୋଲି ବୃଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ଗଂଜେଇ ଚୋରାଚାଲାଣରେ ସତରେ କ’ଣ ବ୍ରେକ୍ ଲାଗିଛି ନାଁ ମାଫିଆ ପୋଲିସ ଭିତରେ ସଲାସୁତୁରା ନୀତି ଚାଲିଛି ତାକୁ ନେଇ ପ୍ରଶ୍ନ କରିଛନ୍ତି ସୂଚନା ଅଧିକାରୀ କର୍ମୀ। କୁହାଯାଉଛି ଯେ ଯେତେବେଳେ କୋରାପୁଟ ଏସପି କନୱର୍ ବିଶାଲ ସିଂ ( IPS), ଜୟପୁର ଏସଡିପିଓ ସାଗରିକା ନାଥ(IPS) , ଜୟପୁର ଟାଉନ ଥାନା ଆଇଆଇସି ବାଲେଶ୍ଵର ଗିଧି ଏବଂ ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଢ଼ ଙ୍କ ସମୟରେ ଜୟପୁରରେ କୁଇଣ୍ଟାଲ କୁଇଣ୍ଟାଲ ଗଂଜେଇ ଜବତ ସହ ଗଂଜେଇ ମାଫିଆର କିଙ୍ଗ୍ ପିଙ୍ଗ୍ କୁ ଧରି କୋର୍ଟ ଚାଲାଣ କରୁଥିଲା ପୋଲିସ। ରାଜନୈତିକ ଚକ୍ରାନ୍ତ ଯୋଗୁଁ ଏହି ଅଫିସର ମାନଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯିବା ଅଭିଯୋଗ ହୋଇଛି । ଯେଉଁଠି ପେଟି ପେଟି ଗଂଜେଇ ଦାମିନାମି କାର୍ ସାଙ୍ଗକୁ ପୁଳାପୁଳା ଟଙ୍କା ଜବତ କରି କୋର୍ଟ ଚାଲାଣ ହେଉଥିଲା ବର୍ତ୍ତମାନ ଜୟପୁର ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ଅନ୍ଧାରରେ ବାଡି ବୁଲାଇଲା ପରି ହାତଗଣତି ଗଂଜେଇ ଜବତ କରି ଚୁପ୍ ହୋଇ ବସୁଛି। ଯାହାଫଳରେ ଗଂଜେଇ ମାଫିଆ ପୋଲିସକୁ ଚକମା ଦେଇ ରାତି ଅଧିଆ ଗଂଜେଇ ପାସ୍ କରୁଥିବା ସହରରେ ଚର୍ଚ୍ଚା ହେଉଛି ।

jeypore ps

କେତେବେଳେ ପଇଡ଼ ଭିତରେ ଗଂଜେଇ ପୁଣି କେତେବେଳେ ଅଦା ବସ୍ତାରେ,କାର ସିଟ୍ ତଳେ, ପରିବା ବସ୍ତାରେ ଗଂଜେଇ ଏପରି ମଧୁର ଟେକ୍ ନିକ୍ ରେ ମାଫିଆ ଚାଲାଣ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା କିନ୍ତୁ ଏବେ ପୋଲିସ କୁ ଭୂୟାଁ ବୁଲାଇ ଖସି ପଳାଉଛନ୍ତି ମାଫିଆ । ମାଫିଆର ଖିଅ ଖୋଜିବାରେ ଫେଲ ମାରିଛି ପୋଲିସ ବୋଲି ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାରୀ କର୍ମୀ। ପ୍ରତିବର୍ଷ ଗଂଜେଇ ଜବତ କରି ମାଲଖାନାରେ ଗଦା ହେଉଛି ଏବଂ ମାଫିଆକୁ କୋର୍ଟ ଚାଲାଣ କରାଯାଉଥିଲେ ହେଁ ପୋଲିସ ର ସର୍ଚ୍ଚଅପରେସନରେ ଗଂଜେଇ ଚାଲାଣର ମୂଳମଞ୍ଜି ଙ୍କୁ ଖୋଜି କାଢିବାରେ ଫେଲ୍ ମାରିଛି ପୋଲିସ।