ହ୍ୟୁମାନଙ୍କ ଫେନ୍କୁ ଲାଗିଲା ଝଟକା। ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପାରିବାରିକ ବିବାଦରେ ଛନ୍ଦି ହୋଇଛନ୍ତି। ହ୍ୟୁମାନଙ୍କ ନାଁରେ ଇନ୍ ହ୍ୟୁମାନିଟି ଅଭିଯୋଗ ଆଣିଛନ୍ତି ପତ୍ନୀ ଶ୍ରେୟା ମିଶ୍ର। ହ୍ୟୁମାନଙ୍କ ପରକୀୟା ପ୍ରୀତି ସାଙ୍ଗକୁ ଶାରୀରିକ ଓ ମାନସିକ ଟର୍ଚ୍ଚର ଅଭିଯୋଗ ଆଣି କଟକ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ଶ୍ରେୟା। ଗତକାଲି ଉଭୟ କଟକ ମହିଳା ଥାନାରେ ହାଜର ହୋଇଥିଲେ। ପୋଲିସ ଆପଶ ବୁଝାବଣା ପାଇଁ ଦୁଇଦିନ ମହଲତ ଦେଇଛି । ପରସ୍ପର ମଧ୍ୟରେ ସମସ୍ୟାର ସମାଧାନ ନହେଲେ ପରବର୍ତ୍ତୀ ସମୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଚେତାବନୀ ଦେଇଛି । ଆଜି ଦ୍ୱିତୀୟ ଦିନ ଥିବାରୁ ଘଟଣା କେଉଁ ମୋଡ଼ ନେଉଛି ତାହା ଉପରେ ରହିଛି ଫେନ୍ ଙ୍କ ନଜର । ଆପଶ ବୁଝାବଣା ହେଉଛି ନାଁ ପରସ୍ପର ଠାରୁ ଦୂରେଇ ଯିବେ ତାହା ହ୍ୟୁମାନ ଏବଂ ଶ୍ରେୟାଙ୍କ ଆଗାମୀ ନିଷ୍ପତ୍ତି ଉପରେ ନିର୍ଭର କରୁଛି ।

ଗତକାଲି ଗଣମାଧ୍ୟମରେ ଉଭୟଙ୍କ ପରିବାର ଆରୋପ ପ୍ରତିଆରୋପ ଦେଖିବାକୁ ମିଳିଥିଲା । ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର ଅଭିଯୋଗ ଆଣି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଯେ ଝିଅକୁ ୫ବର୍ଷ ହେବ ନିର୍ଯ୍ୟାତନା ଦେଉଥିଲେ । ସମାଧାନର ବାଟ ବାହା ପାରୁନଥିଲା ଶେଷରେ ବାଧ୍ୟହୋଇ ଥାନାର ଦ୍ବାରସ୍ଥ ହେଲୁ ଏବଂ ୫ମାସ ହେଲା ଝିଅ ଓ ନାତୁଣୀ ତାଙ୍କ ପାଖରେ ରହୁଛନ୍ତି। ସେପଟେ ହ୍ୟୁମାନଙ୍କ ମାଁ ସେଫାଳି ପାଲଟା ଅଭିଯୋଗ କରି କହିଥିଲେ ଯେ ଶ୍ରେୟା ତାଙ୍କ ବାପା,ମାଁ, ଭାଇ ଓ ଡ଼୍ରାଇଭର ସହିତ ମିଶି ମଦ ପିଅନ୍ତି ଓ ହ୍ୟୁମାନଙ୍କୁ ମଧ୍ୟ ମଦ ପିଆଉଥିଲେ। ତାଙ୍କ ପରିବାର ପକ୍ଷରୁ ଶ୍ରେୟାକୁ ଧର୍ମ ପରିବର୍ତ୍ତନ ପାଇଁ କେବେ ବାଧ୍ୟ କରିନାହାନ୍ତି କି କେବେ ମାଡ଼ ମାରି ନାହାନ୍ତି ଶ୍ରେୟା ଙ୍କ ସମସ୍ତ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି ସେଫାଳି। ଏ ସମ୍ପର୍କରେ ଏସପି ଅମିତାଭ ମହାପାତ୍ର କହିଛନ୍ତି ଯେ ଏଯାଏ ଅଭିଯୋଗକୁ ନେଇ ମାମଲା ରୁଜୁ ହୋଇନାହିଁ କେବଳ ଉଭୟଙ୍କୁ କାଉନସେଲିଂ କରାଯାଇଛି । ଦୁଇଦିନ ମଧ୍ୟରେ ଉଭୟ ସେମାନଙ୍କ ମତାମତ ଦେଲେ ମାମଲା ଆଗକୁ ବଢିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।