‘ମା ଦେବକୀ’ ଓ ଶ୍ରୀଜଗନ୍ନାଥ

ତ୍ବମେବ ମାତା ଚ ପିତା ତ୍ବମେବ, ତୁମେବ ବନ୍ଧୁ ଚ ସଖା ତ୍ବମେବ…
ଉପରୋକ୍ତ ଶ୍ଲୋକଟି ଆମେମାନେ ପ୍ରାୟତଃ ସମସ୍ତେ ଜାଣିଚେ। କିନ୍ତୁ ଏହାର ଭାବାର୍ଥ ଓ ଏହାର ପ୍ରାମାଣିକ ତଥ୍ୟଟି ଖୁବ୍ କମ ଲୋକ ଜାଣିଥିବେ। ଆମର ଏହି ଛୋଟିଆ ଆଲେଖ୍ୟରେ ଆପଣଙ୍କୁ ଏ ସମ୍ପର୍କରେ ପ୍ରାମାଣିକ ତଥ୍ୟ ଦେବୁ। ପ୍ରଥମେ କହିରଖେ ଇଶ୍ବର ଆମର ପିତା, ସେ ଆମର ମାତା, ବନ୍ଧୁ ଓ ପରିଜନ ମଧ୍ୟ। ଯାହା ଏହି ଶ୍ଲୋକାର୍ଥଟି ପ୍ରମାଣ କରେ। ବାସ୍ତବରେ ସେ ଲିଙ୍ଗଭେଦ ଉର୍ଦ୍ବରେ। ସମଗ୍ର ‘ଭଗ’ ବା ଐଶ୍ବର୍ଯ୍ୟର ଅଧିକାରୀ ହୋଇଥିବାରୁ ସେ ଭଗବାନ ବା ଜଗନ୍ନାଥ। ସମସ୍ତ ଲିଙ୍ଗୋଦ୍ଭବ ପ୍ରାଣୀମାନଙ୍କର ସେହି ହିଁ ପିତା ମାତା ପରମ ତାରକ। ସେ ନିଜେ ନିଜକୁ ହିଁ ସୃଷ୍ଟି କରନ୍ତି। ସେ ନିଜର ମାତା ଓ ନିଜର ହିଁ ପିତା।
ଏ ସମସ୍ତ ବର୍ଣ୍ଣନା ଭଗବାନଙ୍କ ମହାସତ୍ତାକୁ ହିଁ ପ୍ରମାଣିତ କରେ। ଯେଉଁ ଧର୍ମ ଏକେଶ୍ବରବାଦରେ ବିଶ୍ବାସ କରେ ତାହାଙ୍କ ନିମନ୍ତେ ଏହି ତଥ୍ୟଟି ପ୍ରଯୂର୍ଯ୍ୟ ଓ ଗ୍ରହଣୀୟ ଏବଂ ଯଥେଷ୍ଟ ମଧ୍ୟ। ମାତ୍ର ଏହିଠାରେ ଆମେ ଯଦି ସନାତନ ହିନ୍ଦୁ ଧର୍ମର କଥା ଉଠାଇବା ତାହାଲେ ସମ୍ୟକ ଛନ୍ଦିହେବା। ଏଠାରେ ଇଶ୍ବର ବଭିନ୍ନ ସତ୍ତାରେ ପ୍ରତିୟମାନ। କେବେ ପୁତ୍ର, କେବେ ମାତା ତ କେବେ ପିତା ଭାବେ ସେ ଦୃଶ୍ୟମାନ ଓ ପୂଜିତ।
ଏହି କ୍ରମରେ ଆମେ ଆପଣଙ୍କୁ ରୋଚକ କଥାଟିଏ କହିବୁ। ଶ୍ରୀନ୍ଦିରରେ ମହାପ୍ରଭୁଙ୍କ ଜନ୍ମାଷ୍ଟମୀ ପର୍ବର କଥା। ଭାଦ୍ରକ କୃଷ୍ଣ ଅଷ୍ଠମୀ ନିଷାର୍ଦ୍ଧରେ ଶ୍ରୀମନ୍ଦିରରେ କୃଷ୍ଣଜନ୍ମନୀତି ପାଳିତ ହୁଏ। ସୁବର୍ଣ୍ଣ କୃଷ୍ଣ ପ୍ରତିମାଙ୍କୁ ଦେବକୀ ରୁପି ସେବକ ଜନ୍ମଦେଇ ଜନ୍ମନୀତି ସମ୍ପନ୍ନ କରନ୍ତି। ଏହାପରେ ମହାପ୍ରଭୁଙ୍କ ବାଡରେ ବନ୍ଦାପନା ହୋଇଥାଏ। ମହାପ୍ରଭୁ ଜଗନ୍ନାଥ କୃଷ୍ଣ ସ୍ବରୂପରେ ଅର୍ଚ୍ଚିତ ହୋଇଥାନ୍ତି। କିନ୍ତୁ ଏହି ନୀତିର ପୂର୍ବ ରାତିରେ ସେହି ଜଗନ୍ନାଥ ମହାପ୍ରଭୂଙ୍କ ବିଗ୍ରହକୁ ମା’ ଦେବକୀ ମନେକରି ପୂଜା କରିବାର ଏକ ବିରଳ ପ୍ରଥା ରହିଛନ୍ତି। ଯାହାକୁ ଗର୍ଭୋଦକ ନୀତି ବୋଲି କୁହାଯାଏ। ଜଣେ ଗର୍ଭବତୀ ନାରୀ ପ୍ରସବ ପୂର୍ବରୁ ଯେଉଁସବୁ ଖାଦ୍ୟ ଖାଇବାକୁ ପସନ୍ଦ କରେ ସେହିସବୁ ଖାଦ୍ୟ ଦ୍ରବ୍ୟ କଳାଠାକୁରଙ୍କୁ ନିବେଦିତ ହୁଏ। ଯାହାର ନାଁ ହେଉଛି ‘ଜେଉଡ’। ଏହି ପ୍ରସାଦ ସମର୍ପଣ ସମୟରେ ଠାକୁରଙ୍କୁ ମା ଦେବକୀ ମନେ କରାଯାଏ ଓ ପ୍ରସାଦ ଲାଗି ପରେ ପରେ ତାଙ୍କୁ ହିଁ ଗର୍ଭୋଦକ ବନ୍ଦାପନା କରାଯାଏ। କୁହାଯାଏ ତୁମେ ଜଗତର ଇଶ୍ବରଙ୍କୁ ଗର୍ଭରେ ଧରିଛ। ହେ ମା’ ଆମେ ତୁମ୍ଭକୁ ପ୍ରଣାମ କରୁଛି।
ତହିଁ ପରଦିନି ବ୍ରହ୍ମଙ୍କର ସ୍ବରୂପ ବଦଳି ଯାଏ। ଯେଉଁ ବ୍ରହ୍ମ ବିଗ୍ରହ ମାତା ସ୍ବରୂପରରେ ଯେଉଡ ଗ୍ରହଣ କରନ୍ତି। ସେ ହିଁ କୃଷ୍ଣ ଭାବେ ଲୀଳା କରନ୍ତି। ଭକ୍ତ ଚକ୍ଷୁରେ ଆନନ୍ଦାଶ୍ରୁ ଝରିବାର କାରଣ ହୁଅନ୍ତି।
ଏଥର ବୁଝିଲେ ତ ବ୍ରହ୍ମଙ୍କର ପିତା ମାତା କିଏ, ସେ ନିଜେ ହିଁ ନିଜର ଶ୍ରଷ୍ଟା I

ମିହିର ପଟ୍ଟନାୟକ