କୋରାପୁଟର ସୁନ୍ଦର ପର୍ଯ୍ୟଟନ ସ୍ଥାନକୁ ସରକାର ଅଣଦେଖା କାହିଁକି ?

କେଚେଲାରୁ ମାଛକୁଣ୍ଡ, ଦେଓମାଳିରୁ କୋଲାବ ପର୍ଯ୍ୟନ୍ତ ସବୁଠି ରହିଛି ପ୍ରକୃତି ପର୍ଯ୍ୟଟନ ପାଇଁ ବ୍ୟାପକ ସୁଯୋଗ । ମନଲୋଭା ପ୍ରକୃତି ସାଙ୍ଗକୁ ସୁନ୍ଦର ଜଳବାୟୁ ପର୍ଯ୍ୟଟକଙ୍କୁ ବେଶ କିଛି ସମୟ ବାନ୍ଧି ରଖିବାରେ ସକ୍ଷମ। କିନ୍ତୁ ଏହାକୁ ପର୍ଯ୍ୟଟକଙ୍କ ପାଖରେ ପହଞ୍ଚାଇ ସୁଯୋଗକୁ ସମ୍ଭାବନାରେ ପରିଣତ କରିବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର।

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ଇକୋ ରିଟ୍ରିଟ ସେବା ଆରମ୍ଭ ହୋଇଥିବାବେଳେ କୋରାପୁଟ ଏଥିରୁ ବାଦ ପଡିବା ଏହାର ପ୍ରମାଣ ଦେଉଛି । କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗବାଡି ଓ ସାତକୋଶିଆରେ ଆରମ୍ଭ ହେଇଛି ଇକୋ-ରିଟ୍ରିଟ ସେବା। ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଇକୋ-ରିଟ୍ରିଟରେ ପର୍ଯ୍ୟଟକଙ୍କୁ ପ୍ରକୃତି ପର୍ଯ୍ୟଟନର ମଜା ଦେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରକୃତି କୋଳରେ ପର୍ଯ୍ୟଟକଙ୍କୁ ରଖି ନିଆରା ମଜା ଦେବାକୁ ପ୍ରୟାସ କରାଯାଇଛି। ସେଥିପାଇଁ ରାଜ୍ୟର ବଛା ବଛା ସ୍ଥାନରେ ଏହା ନିର୍ମାଣ କରାଯାଇଛି। କିନ୍ତୁ ଏହି ତାଲିକାରେ ରାଜ୍ୟର ସବୁଠୁ ସୁନ୍ଦରୀ କୁହାଯାଉଥିବା କୋରାପୁଟର ନାଁ ନାହିଁ। କୋରାପୁଟ ପ୍ରତି ସରକାରୀ ଅବହେଳାକୁ ଏହା ପ୍ରମାଣିତ କରି ଦେଇଛି ।

ଘଂଚ ଜଙ୍ଗଲ ସାଙ୍ଗକୁ ମନଲୋଭା ପ୍ରାକୃତିକ ପରିବେଶ ପାଇଁ କୋରାପୁଟର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏଠାରେ ଦେଓମାଳି ପରି ଉଚ୍ଚତମ ଶୃଙ୍ଗ ଅଛି। ରାଣୀଡୁଡୁମା, ଗାଲିଗବଦର, ପୁଞ୍ଜିସିଲ ଆଦି ସ୍ଥାନରେ ପ୍ରକୃତି କୋଳରେ ପାହାଡି ଝରଣା ଖେଳୁଛି। ପ୍ରକୃତିକୁ ଭଲ ପାଉଥିବା ଯେ କୌଣସି ଲୋକଙ୍କୁ ଅଟକାଇ ରଖିବାର ଶକ୍ତି ଡୁଡୁମା, କୋଲାବ, କେଚଲାର ରହିଛି। କିନ୍ତୁ ସରକାର ଏସବୁର ବିକାଶ ପାଇଁ କୌଣସି ଠୋସ ପଦକ୍ଷେପ ନେଇ ନାହାନ୍ତି। ଏପରିକି ଏବେ ଇକୋ-ରିଟ୍ରିଟରେ ସ୍ଥାନ ନ ଦେଇ ଅବହେଳାକୁ ଆଉ ଟିକିଏ ଶକ୍ତ କରିଛନ୍ତି। ଦେଓମାଳିରେ ନେଚର କ୍ୟାମ୍ପ କରି ରହିବାର ବ୍ୟବସ୍ଥା କରାଯାଇଥିଲେ, ଏହା ହଜାର ହଜାର ପର୍ଯ୍ୟଟକଙ୍କୁ ଭିନ୍ନ ସ୍ବାଦ ଦେଇ ପାରିଥାନ୍ତା। ସବୁଠାରୁ ଉଚ୍ଚତମ ପାହାଡରେ ରାତି କଟାଇବାର ଲୋକ ସମ୍ବରଣ କରି ନ ପାରି ନିଶ୍ଚିତ ଦେଶୀ, ବିଦେଶୀ ପର୍ଯ୍ୟଟଙ୍କ ଭିଡ ଜମିବା ଏକ ପ୍ରକାର ନିଶ୍ଚିତ ଥିଲା। କୋଲାବ ଜଳଭଣ୍ଡାର କୂଳରେ ଥିବା କେଚେଲା, ପୁଞ୍ଜିସିଲ, ମାଛକୁଣ୍ଡ, ରାଣୀ ଡୁଡୁମା ଆଦି ସ୍ଥାନରେ ମଧ୍ୟ ନେଚର କ୍ୟାମ୍ପ କରିବାର ସୁଯୋଗ ରହିଛି। ଏହି ଶୀତ ଦିନରେ ଲୋକମାନେ ଏଠାକୁ ଆସି ପ୍ରକୃତିକୁ ଉପଭୋଗ କରିବା ସହ ପାହାଡ ଚଢିବା, ନୌବିହାର କରିବା, ଜଳକ୍ରୀଡା କରିବା ଓ ଆଦିବାସୀ ନୃତ୍ୟଗୀତର ମଜା ନେଇପାରିବେ। କିନ୍ତୁ ଏହାକୁ ଠିକ ଭାବେ ପ୍ୟାକେଜିଂ କରି ପର୍ଯ୍ୟଟକଙ୍କ ପାଖରେ ପହଞ୍ଚା ଯାଇପାରୁନି। ଫଳରେ କୋରାପୁଟ ପର୍ଯ୍ୟଟନ ଶିଳ୍ପ ବିଶେଷ ଉଧେଇ ପାରୁନି।
ଇକୋ-ରିଟ୍ରିଟ ସେବାରୁ କୋରାପୁଟ ବାଦ ପଡିବା ଜିଲ୍ଲାବାସୀଙ୍କର ହଜମ ହୋଇନି। ସେମାନେ ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଆଗରୁ ଜିଲ୍ଲାକୁ ବାରମ୍ବାର ଅବହେଳା କରାଯାଉଥିବାରୁ ଏହା ସେମାନଙ୍କୁ ତତାଇ ଦେଇଛି।
ଏତେ ସୁନ୍ଦର ପ୍ରକୃତି ଥାଇ ବି ଅଣଦେଖା କୋରାପୁଟ ।