ଗଣମାଧ୍ୟମକୁ ଗଣତାନ୍ତ୍ରିକ ସରକାରଙ୍କ ଡର!

ପ୍ରତ୍ୟକ୍ଷ ସାମ୍ବାଦିକ ସମ୍ମିଳନୀକୁ ସରକାରଙ୍କ ଡର ନା ଦୁର୍ବଳ ଗଣମାଧ୍ୟମଙ୍କୁ ହେୟଜ୍ଞାନ? ଅବଶ୍ୟ ଲଗାତର ଭାବେ ବହୁଜନମତ ସାଉଁଟି ଦୀର୍ଘ ଦିନଧରି ଓଡ଼ିଶା ଶାସନର ମଙ୍ଗ ଧରିଥିବା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କେବେହେଲେ ପ୍ରତ୍ୟକ୍ଷ ସାମ୍ଵାଦିକ ସମ୍ମିଳନୀ ଟିଏ କରିନାହାଁନ୍ତି।

ସରକାର କରୋନା ନାଁ’ରେ ସାମ୍ବାଦିକଙ୍କୁ ପ୍ରତ୍ୟକ୍ଷ ଭାବରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନଦେଇ ବାଗ୍ଚିଙ୍କ ମୁହଁରେ ନିଜକୁ ସୁହାଇଲା ଭଳି ପ୍ରଶ୍ନ ଏବଂ ବୁଲେଇ ବଙ୍କେଇ ଉତ୍ତର ଦିଆ କାର୍ଯ୍ୟକ୍ରମ ଚଲେଇଲେ। ଏବେ ପୁଣି ଗୁରୁତ୍ୱପୂର୍ଣ୍ଣ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ପ୍ରସଙ୍ଗରେ ଓଡ଼ିଶା ସରକାର, ପ୍ରତ୍ୟକ୍ଷ ସାମ୍ବାଦିକ ସମ୍ମିଳନୀ ଡାକିବା ବଦଳରେ, ସାମ୍ବାଦିକଙ୍କ ପ୍ରତ୍ୟକ୍ଷ ପ୍ରଶ୍ନ ଡରରେ ହ୍ଵାଟ୍ସଆପ ମାଧ୍ୟମରେ ସବୁଦିନ ପ୍ରେସ୍ ବିଜ୍ଞପ୍ତିଟିଏ ପଠେଇ ଦେଇ ସରକାର ନିଜର ଉତ୍ତରଦାୟିତ୍ବ ସାରି ଦେଉଛନ୍ତି। ରାଜ୍ୟରେ ବଜାର ହାଟ ମଠ ମନ୍ଦିର ମସ୍ଜିଦ୍ ଗୀର୍ଜାଘର, ରାଜନୈତିକ ସଭାସମିତି ଇତ୍ୟାଦି ଇତ୍ୟାଦି ସବୁ ଖୋଲିଲାଣି କିନ୍ତୁ ଲୋକସେବା ଭବନକୁ ସାଧାରଣ ଜନତା ଏବଂ ସାମ୍ଵାଦିକ ପଶିଲେ କରୋନା ମାଡ଼ିଯିବ!

ଗଣତନ୍ତ୍ରରେ ଗଣମାଧ୍ୟମର ଆଜି ଏଭଳି ପରିସ୍ଥିତି ଯେ ପ୍ରତ୍ୟକ୍ଷ ପ୍ରଶ୍ନଟିଏ ପଚାରିବାକୁ ସାମ୍ବାଦିକ ବନ୍ଧୁ ମାନଙ୍କୁ ସୁଯୋଗଟିଏ ମିଳୁନି। ଗଣତନ୍ତ୍ରର ଆତ୍ମଘୋଷିତ ତଥା ଗାରିମାମୟ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧି – ସାମ୍ଵାଦିକର ମୌଳିକ ଅଧିକାର ମଧ୍ୟ ଆଜି ଅପହୃତ। ଆଉ ଏଠି ସାଧାରଣ ଜନତାଙ୍କ ଅଧିକାର କଥା ପଚାରେ କିଏ?

ଗୋପାଳ ସାହୁ