ମିଶନଶକ୍ତି କେବଳ ସ୍ଲୋଗାନ୍ ନୁହେଁ , ବିକାଶର ମୋଡେଲ : ମୁଖ୍ୟମନ୍ତ୍ରୀ!

ମିଶନ ଶକ୍ତି କୁ ସଶକ୍ତିକରଣ କରିବା ପାଇଁ ମିଶନ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆ ନୂଆ ମୋଡେଲ ପ୍ରସ୍ତୁତ କରି ମାଁ ମାନଙ୍କୁ ଆଣିଦେଉଛନ୍ତି ଆତ୍ମନିର୍ଭରଶୀଳ ହେବା ସୁଯୋଗ। ରାଜ୍ୟର ମହିଳାମାନେ କିପରି ଅଧିକ ରୁ ଅଧିକ ଉଦ୍ୟାଗୀ ହେବେ ସେନେଇ ମୁଖ୍ୟମନ୍ତ୍ରୀ ନେଉଛନ୍ତି ବିଭିନ୍ନ ବିକାଶମୂଳକ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ଗତକାଲି ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି। ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ମହିଳା ମାନେ ଯେଉଁ ଋଣ ନେଇଥିଲେ ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି । ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି। ଉପସ୍ଥିତ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍‌ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କନ୍‌ଭେନସନ ସେଣ୍ଟରରେ ଉପସ୍ଥିତ ମା ଓ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକ୍‌ରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡି ହୋଇଥିବା ମା ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମା ମାନେ ଆଜି ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟ ଠାରୁ ଆରମ୍ଭ କରି, ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି । ମା ମାନଙ୍କର ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି ପ୍ରକୃତ ରୂପାନ୍ତର। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ନୁହେଁ ଆଜି ଏହା ମା ମାନଙ୍କର ଏକ ଜୀବନଧାରା । ୭୦ ଲକ୍ଷ ମା ମାନଙ୍କର ଏହି ବିରାଟ ଅନୁଷ୍ଠାନ ଆଜି ଓଡିଶା ବିକାଶର ନୂଆ ଇତିହାସ ଲେଖୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

mission shakti

ମିଶନ ଶକ୍ତି ଗ୍ରୁପ ଗୁଡିକୁ ଶକ୍ତିଶାଳି କରିବା ପାଇଁ ବିଭିନ୍ନ ଘୋଷଣା ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜିଲ୍ଲାସ୍ତରୀୟ ଫେଡେରେସନକୁ ଏକ କୋଟି ଟଙ୍କା ଓ ବ୍ଲକ୍‌ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ ଆଦି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ‘ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ମୁଁ ଚାହେଁ’। ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ବୋଲି ସେ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁରର ଜିଲ୍ଲାସ୍ତରୀୟ ଫେଡେରେସନ ଭବନକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଥିଲେ ।