ଶୀତ ରୁତୁରେ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଅପୂର୍ବ ଓ ମନଲୋଭା। ଘଂଚ ଜଙ୍ଗଲ ସାଙ୍ଗକୁ ଘନ କୁହୁଡି ଏବେ ପର୍ଯ୍ୟଟକଙ୍କୁ ବିଭୋର କରୁଛି।ପ୍ରକୃତିର ଏହି ଅତୁଳନୀୟ ବରଦାନକୁ ଆହୁରି ଆକର୍ଷିତ ଓ ଆକର୍ଷଣୀୟ କରୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ମାଳିଗୁଡା ଟୋନେଲ।ଯେଉଁଠି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଲାଗିଛି ପର୍ଯ୍ୟଟକଙ୍କ ଭିଡ। ଦେଶର ପ୍ରଥମ ଓ ବିଶ୍ୱର ତୃତୀୟ ବୃହତ୍ତମ ଓସାରିଆ ରେଳପଥ ଟୋନଲ ଆଉ ମନଭରି ଉପଭୋଗ କରିବା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ।
ଚାଲିଛି ପିକନିକ ଋତୁ ବୁଲାବୁଲି କରିବା ସହ ବଣଭୋଜି କରିବା ପାଇଁ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି।ଏପରି ସ୍ଥଳରେ କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ପାହାଡ଼ ଝରଣା ଘେରରେ ରହିଛି ମାଳିଗୁଡା।ମାଳିଗୁଡାର ପାହାଡ଼ ଚଡା ସାଙ୍ଗକୁ ସେଲ୍ଫିର ମଜା ନିଆରା।ଏହି ସ୍ଥାନ ଶୀତ ଋତୁରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ବଣଭୋଜି କରିବା ପାଇଁ।ସତେଯେମିତି ଏଠାରେ ପ୍ରକୃତି ଢାଳିଦେଇଛି ଅପୂର୍ବ ସୌନ୍ଦର୍ଯ୍ୟ।କୋରାପୁଟ ଜିଲ୍ଲାର ପ୍ରାୟ ସମସ୍ତେ ମାଳିଗୁଡାକୁ ଥରେ ନା ଥରେ ନିଶ୍ଚିତ ଭାବେ ବଣଭୋଜି କରିବାକୁ ଯାଇଥିବେ।ଏହି ସ୍ଥାନର ମହତ୍ଵ ଖାଲି କୋରାପୁଟ ରେ ସୀମିତ ରହିନାହିଁ।ବହୁ ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକମଧ୍ୟ ଏହି ସ୍ଥାନକୁ ବୁଲି ଆସନ୍ତି।ଦେଶର ପ୍ରଥମ ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଓସାରିଆ ରେଳପଥ ଟୋନେଲ ହୋଇ ରହିଛି ଏହି ମାଳିଗୁଡା ଟୋନେଲ।ମାଳିଗୁଡା ଟୋନେଲ ୧୯୬୧ ରୁ ୧୯୬୬ ମସିହା ମଧ୍ୟରେ ଜାପାନ ଓ ଭାରତୀୟ ରେଳ ବିଭାଗ ସହଭାଗିତାରେ ନିର୍ମାଣ ହୋଇଥିଲା।ଏହି ରେଳବାଇ ଟୋନେଲ ଭାରତର ଚତୁର୍ଥ ଓସାରିଆ ଉଚ୍ଚତମ ରେଳ ଲାଇନ ଭାବେ ପରିଚିତ।ଦୁଇଟି ପାହାଡକୁ ଖୋଳାଯାଇ ଟୋନେଲ ନିର୍ମାଣ କରି ଏକ ବ୍ରିଜ ଗଢ଼ାଯାଇଛି।ଏହି ବ୍ରିଜ ଲାଗେ ସତେଯେମିତି ଇନ୍ଦ୍ରଧନୁଟି ଦୁଇ ପାହାଡକୁ ଯୋଡି ଦେଇଥିବା ଭଳି ଅନୁମାନ ହୋଇଥାଏ।ଚାରିଆଡେ ଛୋଟ ବଡ଼ ପାହାଡ଼ ଏବଂ ତଳେ ବୋହିଯାଉଛି ଝରଣା।ଏହି ଝରଣା କୂଳରେ ଶହ ଶହ ପର୍ଯ୍ୟଟକ ବଣଭୋଜି କରି ସୌନ୍ଦର୍ଯ୍ୟର ଉପଭୋଗ କରିଥାନ୍ତି।ଝରଣା ପାହାଡ଼ ଓ ସୌନ୍ଦର୍ଯ୍ୟ ଭରା ମାଳିଗୁଡାରେ ସେଲ୍ଫି ନେବାର ମଜା କିଏ ବା ହାତ ଛଡା କରେ।ବର୍ତ୍ତମାନ ପିକନିକ ଋତୁରେ ମାଳିଗୁଡାରେ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି।ମାଳିଗୁଡାର ପାଦଦେଶରେ ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକ।
ଅଙ୍କାବଙ୍କା ରାସ୍ତା ସାଙ୍ଗକୁ ସୁଉଚ୍ଚ ପାହାଡ।ଆଖି ଯୁଆଡେ ବୁଲାଇଲେ ଦେଖିବାକୁ ମିଳୁଛି କେବଳ ଘଂଚ ଜଙ୍ଗଲ ଆଉ ନୀଳ ଆକାଶ। ମଝିରେ ମଝିରେ ରାସ୍ତା କଡରେ ଅଳସୀ ଫୁଲର ସ୍ବର୍ଣ୍ଣିମ ଚାଦର ଆଉ କୁହୁଡିର ପତଳା ଆସ୍ତରଣ।ଜଙ୍ଗଲୀ ପରିବେଶର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ।ପ୍ରତିଦିନ ଅନେକ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ନାହିଁ।ଏଠି ପାଣିର ସୁବିଧା ନାହିଁ କି ବଣଭୋଜି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ।ଏ ଦିଗରେ ସଚେତନ ହେଲେ ସରକାର ରାଜସ୍ବ ପାଇବା ସହ ସ୍ଥାନୀୟ ଲୋକେ ମଧ୍ୟ ଉପକୃତ ହୋଇପରନ୍ତେ ବୋଲି କହିଛନ୍ତି ପର୍ଯ୍ୟଟକ।