କାହାର ହେବ ପଦ୍ମପୁର

ଆଜି ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି କରାଯିବ । ନେତାଙ୍କ ହୃଦସନ୍ଦନ ବଢ଼ିବାରେ ଲାଗିଛି। ନିର୍ବାଚନରେ ବହୁ ଚ୍ୟାଲେଞ୍ଜ ସାଙ୍ଗକୁ କଡ଼ା ଟକର୍ ହୋଇଥିଲା । ଏବେ ସମୟ କାଉଣ୍ଟ ଡାଉନ୍ ର ଇଭିଏମ୍ ରେ କାହାର ଭାଗ୍ୟ ଉଦୟ ହେଉଛି କେଉଁ ଦଳର ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବ ତାକୁ ନେଇ ବଢିବ ସସପେନ୍ସ । ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଙ୍କ ସମେତ ୧୦ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ପଦ୍ମପୁରବାସୀ କାହାକୁ ନିଜର ବିଧାୟକ ଭାବେ ବାଛିଛନ୍ତି ଭୋଟ ଗଣତି ପରେ ହିଁ ଜଣାପଡିବ ।

ଆଜି ସକାଳ ୮ଟା ଠାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ପ୍ରଥମେ ୨୯୬ଟି ପୋଷ୍ଟାଲ୍ ବାଲଟ୍ ଗଣତି ହେବ ଏଥିରେ ୨୪ଟି ସର୍ଭିସିଂ ଭୋଟର୍ ଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତି ଭୋଟରଙ୍କ ମତଦାନ କେନ୍ଦ୍ରକୁ ଆସିନଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଭୋଟ ଗଣତି ହେବ । ୩୧୯ଟି ବୁଦ୍ଧ ରୁ ଆସିଥିବା ଇଭିଏମ୍ ଗୁଡ଼ିକୁ ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ହେବ ଭୋଟ୍ ଗଣତି । ଶେଷରେ ୫ଟି ବୁଥର ଭିଭିପ୍ୟାଟ୍ ସ୍ଲିଟ୍ ଗଣତି ହେବ । ଗଣନା ପାଇଁ ୩ଜଣ ସରକାରୀ ରିଟର୍ଣ୍ଣି ଅଫିସର୍ ରହିବେ । ୨୩ ରାଉଣ୍ଡ ଗଣତି ପରେ ଫଳାଫଳ ପ୍ରକାଶ ପାଇବ।

ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ତିନିଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିଆରପିଏଫ୍ , ଏସଏପିଏଫ୍ ଏବଂ ସ୍ଥାନୀୟ ପୁଲିସ କୁ ନିୟୋଜିତ କରାଯାଇଛି। ଭୋଟ ଗଣତି କେନ୍ଦ୍ରର ୧୦୦ ମିଟର ପର୍ଯ୍ୟନ୍ତ କୈାଣସି ଗାଡ଼ିକୁ ଛଡାଯିବ ନାହିଁ। ଏହାକୁ ପାଦଚଲା ଜୋନ୍ ଘୋଷଣା କରାଯାଇଛି। ଜିଲ୍ଲାପାଳ, ଉପଜିଲ୍ଲାପାଳ ଭୋଟ ଗଣତିର ତତ୍ତ୍ଵାବଧାନ କରିବେ । results.eci.gov.in ପୋର୍ଟାଲ ମାଧ୍ୟମରେ ଭୋଟଗଣତି ନେଇ ଟିକିନିଖି ଅପ୍ ଟୁ ଡେଟ୍ ଖବର ପାଇପାରିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ ଲୋହରୀ ।