ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍, ମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ !

ନୋ ଫ୍ଲାଇଙ୍ଗ ଜୋନରେ ଖୁଲମଖୁଲା ଉଡୁଛି ଡ୍ରୋନ୍। କଡ଼ା ସୁରକ୍ଷା ଛାଉଣୀ ସତ୍ତ୍ୱେ କେମିତି ଏବଂ କିପରି ଭାବେ ମନ୍ଦିର ଉପରେ ଡ୍ରୋନ୍ ବୁଲିଲା ଓ କିପରି ପୋଲିସ ଜାଣି ପାରିଲା ନାହିଁ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ବାରମ୍ବାର ମଗଡିଲ୍ ମଧ୍ୟ କରାଯାଉଛି ତେବେ କେମିତି ମନ୍ଦିର ସୁରକ୍ଷିତ ରହିପାରୁନାହିଁ ପୋଲିସ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିକଟରେ ଗର୍ଭଗୃହର ଫୋଟ ଭାଇରାଲ ହୋଇଥିଲା ଏବେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ଵାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଜଣେ ପଶ୍ଚିମବଙ୍ଗର ୟୁଟ୍ୟୁବର ଶ୍ରୀମନ୍ଦିରରେ ଡ୍ରୋନ ଉଡ଼ାଇ ୫ମିନିଟ୍ ୪୨ ସେକେଣ୍ଡର ଭିଡିଓ ସୁଟିଙ୍ଗ କରିଛନ୍ତି ଏଥିରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ଵାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଜଳଜଳ ହୋଇ ଦେଖାଯାଉଛି। ଭିଡ଼ିଓ ପ୍ରାରମ୍ଭରେ ଏହି ଭିଡ଼ିଓ କରିବାକୁ ସୁଯୋଗ ଦେଇଥିବାରୁ ପୁରୀ ପୋଲିସ ଅଥବା ଓଡ଼ିଶା ପୋଲିସ ବିଭାଗକୁ ସ୍ୱତନ୍ତ୍ର ଧନ୍ୟବାଦ ଜ୍ଞାପନ ମଧ୍ୟ କରିଛନ୍ତି ୟୁଟ୍ୟୁବର । ରାତ୍ରୀ କାଳୀନ ଆହୁରି ମଧ୍ୟ ଶ୍ରୀମନ୍ଦିରର ଫୁଟେଜ୍ ରହିଛି ଯାହାକୁ ଆବଶ୍ୟକ ଅଛି ୨୦ହଜାର ଟଙ୍କାରେ ସେ ନେଇ ପାରିବେ ବୋଲି ୟୁଟ୍ୟୁବର ଜଣଙ୍କ ସୂଚନା ଦେଇଛନ୍ତି।