ପରିପୂର୍ଣ୍ଣ ଗଛଲତା ଏବଂ ଜ୍ଞାନୀ ଗୁଣୀ ବିଦ୍ଵାନ ଲୋକ ସବୁବେଳେ ମଥାନତ। ଏହା ହିଁ ଭାରତୀୟ ସଂସ୍କୃତି ଓ ପରମ୍ପରାର ମହାନତା। ବିଜ୍ଞ ସ୍ଵଚ୍ଛ ନିରପେକ୍ଷ ବ୍ୟକ୍ତି ଓ ଅନୁଷ୍ଠାନ ନିଜର ଜ୍ଞାତ ଅଜ୍ଞାତ ଦୋଷ ଅପରାଧ ସ୍ଵୀକାର କରିବାରେ ଏବଂ କ୍ଷମା ପ୍ରାର୍ଥନା କରିବାରେ କେବେ କୁଣ୍ଠାବୋଧ କରନ୍ତି ନାହିଁ। ମଣିଷ ମାତ୍ରକେ କେବେ କେବେ ଭୁଲ୍ ହେଇପାରେ। କିନ୍ତୁ ତତକ୍ଷଣାତ୍ ଭୁଲ୍ ସ୍ଵୀକାର କରି ତାକୁ ସୁଧାରି ନେଲେ, ବ୍ୟକ୍ତି କିମ୍ବା ଅନୁଷ୍ଠାନର ମାନ ସମ୍ମାନ ଲୋକପ୍ରିୟତା ବଢ଼େ, କେବେ ଉଣା ହୁଏନି।
ନମନ୍ତି ଫଳିନୋ ବୄକ୍ଷାଃ ନମନ୍ତି ଗୁଣିନୋ ଜନାଃ ।
ଶୁଷ୍କ କାଷ୍ଠସ୍ୟ ମୂର୍ଖଶ୍ଚ ନ ନମନ୍ତି କଦାଚନଃ ।।
ଜାଣତରେ ହେଉ କି ଅଜାଣତରେ ହେଉ, ଭୁଲ୍ ଖବର ପ୍ରଚାର ପ୍ରସାର ଦ୍ଵାରା ଜନସାଧାରଣଙ୍କୁ ବିଭ୍ରାନ୍ତ କରିଥିବାରୁ ନିଜେ ପଶ୍ଚାତାପ କରିବା ପରିବର୍ତ୍ତେ, ନିଜର ତୄଟିକୁ ସଂଶୋଧନ କରିବା ପରିବର୍ତ୍ତେ, ନିଜର ଭୁଲକୁ ସ୍ଵୀକାର କରିବା ବଦଳରେ ଓଲଟି ନୀତି ନୈତିକତାର ପ୍ରବଚନ ଏବଂ ଆଇନର ନାଲିଆଖି ଦେଖଉଥିବା କିଛି ଆଞ୍ଚଳିକ ଗଣମାଧ୍ୟମମାନେ, ରାଜଦୀପ ସରଦେସାଇଙ୍କଠାରୁ ସାମ୍ଵାଦିକ ଓ ସମ୍ଵାଦପତ୍ରର କର୍ତ୍ତବ୍ୟ ଶିଖିବା ଉଚିତ୍।
ଆମର ପୁର୍ବତନ ରାଷ୍ଟ୍ରପତିଙ୍କ ସମ୍ଵନ୍ଧରେ କରିଥିବା ଟୁଇଟ୍ ସମ୍ପୂର୍ଣ୍ଣ ଭୁଲ୍ ସୁଚନା ଉପରେ ଆଧାରିତ ବୋଲି ଜାଣିବା ପରେ, ଜାତୀୟ ସ୍ତରର ବରିଷ୍ଠ ସାମ୍ଵାଦିକ ରାଜଦୀପ ସରଦେସାଇ, ପୁନର୍ବାର ଟୁଇଟର ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ନିଜଆଡ଼ୁ ନିଜର ଦୋଷ ସ୍ଵୀକାର କରି ନିସର୍ତ୍ତ କ୍ଷମା ପ୍ରାର୍ଥନା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। କିନ୍ତୁ ଏଠି ଆମ ରାଜ୍ୟରେ ଭିନ୍ନ ପରିସ୍ଥିତି। ନିକଟ ଅତୀତରେ ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସ୍ଵର୍ଗତ ବିଜୟ ମହାନ୍ତି ଏବଂ ସ୍ଵର୍ଗତ ବିଷ୍ଣୁ ଦାସଙ୍କ ସ୍ଵାସ୍ଥ୍ୟ ସମ୍ଵନ୍ଧରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଭୁଲ୍ ଖବର ପ୍ରସାରଣ କରି ଉଭୟଙ୍କ ପରିବାରକୁ ଦୁଃଖିତ କରିବା ସହିତ ଜନସାଧାରଣଙ୍କୁ ବିଭ୍ରାନ୍ତ କରିଥିଲେ ମଧ୍ୟ କେହି ଭୁଲ୍ ସ୍ଵୀକାର କରିବାକୁ ଆବଶ୍ୟକ ମନେକରିନଥିଲେ। ଆଉ ଏବେ ଭାଇରାଲ୍ ଅଡିଓ ଭିଡିଓକୁ ପ୍ରମୁଖ ଖବରଭାବେ ବାରମ୍ବାର ପ୍ରସାରଣ କରି କୋଟି କୋଟି ଲୋକଙ୍କୁ ବିଭ୍ରାନ୍ତ କରିଥିବା ବିଷୟଟି ଆହୁରି ଉଦବେଗ ଜନକ। ନିଜ ଦୋଷ ତୄଟି ସ୍ଵୀକାର ବଦଳରେ ବିଚରା ଦୁଇଜଣଙ୍କ କାନ୍ଧରେ ବନ୍ଧୁକ ରଖି ରାଜନୈତିକ କ୍ଷମତା ଯୁଦ୍ଧ ଏବଂ ଆଇନର ପଶାଖେଳ। ବଡ଼ ବଡ଼ିଆଙ୍କର ଖେଳ ସାଧାରଣ ଲୋକଙ୍କ ପାଇଁ କାଳ, ଇର୍ଷାଳୁ ଆପଣାସ୍ଵାର୍ଥି ଲୋକଙ୍କ ଅହଂକାର ପ୍ରବଳରୁ ପ୍ରବଳ।
ଗୋପାଳ ସାହୁ
ଭୁଲ ମାଗିବା ମହତ ପଣିଆ ନିଶ୍ଚୟ ।
ଲେଖାଟି ଭଲ ଲାଗିଲା ।
କିନ୍ତୁ ରାଜଦୀପ ସରଦେସାଇଙ୍କ ଭଳି ଜଣେ ପ୍ରତିଷ୍ଠିତ ସାମ୍ବାଦିକଙ୍କ ପାଖରେ ବହୁ ତ୍ଵରିତ ବ୍ୟବସ୍ଥା ଥିବା ସତ୍ବେ ସେ କାହିଁକି ଏଭଳି ଏକ ସଂବେଦନଶୀଳ ଖବରର ସତ୍ୟାସତ ଯାଞ୍ଚ ନ କରି ଏତେ ଚଞ୍ଚଳ ହେଇପଡିଲେ, ସେ ବିଷୟରେ କିଛି ଉଲ୍ଲେଖ କରିଥିଲେ ଭଲ ହୋଇଥାନ୍ତା ।
ଜୟ ଜଗନ୍ନାଥ
ଲେଖାଟି ଭଲ ଲାଗିଲା ।
କିନ୍ତୁ ଏଭଳି ଏକ ଅତି ସମ୍ବେଦନଶୀଳ ବିଷୟ ଉପରେ ମତାମତ ଦେବା ପୂର୍ବରୁ ଚିନ୍ତା ନକରି ବଡ ତରବରିଆ ଭାବରେ ଭୁଲ ଟୁଇଟ କରିଦେଇ କ୍ଷମା ମାଗିବା ଜାତୀୟ ସ୍ତରର ବରିଷ୍ଠ ସାମ୍ଵାଦିକ ରାଜଦୀପ ସରଦେସାଇଙ୍କ ବ୍ୟକ୍ତି ଚରିତ୍ରକୁ ସନ୍ଦେହଜନକ ସୋପନକୁ ନେଇଗଲା; ଭୀଷଣ କଷ୍ଟ ଲାଗିଲା !