ଓଡ଼ିଶାର ପିଲା କାହାଠାରୁ କମ୍ ନୁହନ୍ତି। ଦିଲିପ୍ ତୁର୍କୀ ସମସ୍ତ ପାଇଁ ରୋଲ୍ ମଣ୍ଡେଲ

ମୁଖ୍ୟମନ୍ତ୍ରୀ ଆଜି ସର୍ଗିଫୁଲ ମହୋତ୍ସବର ଉଦ୍‌ଯାପନ ଦିବସରେ ଉଦ୍‌ବୋଧନ ଦେଇ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି। SCST ଉନ୍ନୟନ୍ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର ଏହି ଅନନ୍ୟ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ପିଲା କାହା ଠାରୁ କମ୍‌ ନୁହଁ । ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢିବା ସହ ଲକ୍ଷ୍ୟ କୁ ହାସଲ କର ଏବଂ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ପିଲାଙ୍କ ସାଥିରେ ଅଛି ବୋଲି କହିଛନ୍ତି ନବୀନ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସର୍ଗିଫୁଲ ନାମକ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ଏହାସହିତ ସାମଗ୍ରିକ ଶିକ୍ଷା ଉପରେ ଏକ ପୋଷ୍ଟର ବୁକ୍‌ର ଡିଜିଟାଲ ଲୋକାର୍ପଣ କରିଥିଲେ । ସାମଗ୍ରିକ ଶିକ୍ଷା ସଂପର୍କିତ ଏକ ଭିଡିଓ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ସର୍ଗିଫୁଲ ମହୋତ୍ସବ ଦୀର୍ଘ ୧୨ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷର ଉତ୍ସବରେ ୧୨୦୦ ଛାତ୍ରଛାତ୍ରୀ ଓ ୧୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ୨୦୨୧ ଓ ୨୦୨୨ର ହାଇସ୍କୁଲ ପରୀକ୍ଷାରେ କୃତୀତ୍ବ ହାସଲ କରିଥିବା ପିଲାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଭିନ୍ନ ପ୍ରତିଯୋଗିତା ଯଥା- ତର୍କ, କୁଇଜ, ବିଜ୍ଞାନ ପ୍ରଦର୍ଶନୀ, ସୃଜନାତ୍ମକ ଲିଖନ, ବାଦ୍ୟଯନ୍ତ୍ର ପ୍ରତିଯୋଗିତା, ଖେଳ ପ୍ରତିଯୋଗିତା ତଥା ଲୋକନୃତ୍ୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ କୃତୀତ୍ବ ହାସଲ କରିଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଶିଷ୍ଟ କ୍ରୀଡାବିତ୍‌ ଦିଲ୍ଲୀପ ତିର୍କିଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେ ଜଣେ ଓଡିଆ ପୁଅ । ନିଜ ଦକ୍ଷତା ଓ ପରିଶ୍ରମ ଯୋଗୁ ସେ ଭାରତୀୟ ହକି ଟିମ୍‌ର କ୍ୟାପଟେନ୍ ହେବା ସହିତ ଆଜି ହକି ଇଣ୍ଡିଆର ସଭାପତି ମଧ୍ୟ ହୋଇପାରିଛନ୍ତି। ଯୁବ ସମାଜ ପାଇଁ ସେ ଜଣେ ରୋଲ୍ ମଡେଲ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମାଟ୍ରିକ ପରୀକ୍ଷାରେ କୃତୀତ୍ବର ସହ ସଫଳତା ହାସଲ କରିଥିବା ପିଲାମାନଙ୍କୁ ଓ ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶକୁ ଆଖି ଆଗରେ ରଖି ଡିସେମ୍ବର ୨୦୨୩ ସୁଦ୍ଧା ଆହୁରି ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ହଷ୍ଟେଲରେ ଏବେ ୫ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ପିଲା ପାଠ ପଢୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର କମିଶନର-ତଥା-ସଚିବ ଶ୍ରୀମତୀ ରୂପାରୋଶନ ସାହୁ,ସ୍ବତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଶ୍ରୀ ଆର୍‌.ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ପି.କେ. ଜେନା ଓ (୫-ଟି)ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଆଦି ପ୍ରମୁଖ ଉପସ୍ଥିତ ଥିଲେ।