ଗଳ୍ପ – ଭାଗ ସମ୍ପତ୍ତି… ଏକ ପରିବାରିକ କାହାଣୀ …

ଅପରାହ୍ନ ୫ଟା ହେବ..ମୁଁ ଅଫିସରେ ଥାଏ..ହ୍ବାଟ୍ସ ଆପ୍ ରେ ମେସେଜ ଆସିବାରୁ ଫୋନ ଦି ଥର ଟୁୁଁ ଟୁଁ ହେଇ ରହିଗଲା..ଫୋନ୍ ନେଇ ଦେଖିଲାବେଳକୁ ଇଏ ଗୋଟେ କଣ ପଠେଇଛନ୍ତି..ଫଟୋଟିକୁ ଡାଉନଲୋଡ୍ କଲି..ବାପାଙ୍କ ସମ୍ପତ୍ତିରେ Jhiaର ଅଧିକାର ସଂପର୍କିତ ନ୍ୟୁଜଟି ପଠାଇଥିଲେ ଇଏ…

ମନଟା ଉଦାସ ହେଇଗଲା..ଭାବୁଥିଲି ସ୍ତ୍ରୀ ଅଫିସରେ ଥିଲାବେଳେ କୋଉଦିନ ତ ଟିକିଏ ରୋମାଣ୍ଟିକ୍ ମେସେଜ ପଠାନ୍ତିନି ଇଏ..ତରତରରେ ଯଦି କୋଉ ଦିନ ନଖାଇକି ଆସିଥିବି, ଖାଇଲଣି କି ନାହିଁ ପଚାରିବାକୁ ୟାଙ୍କ ମନ କେବେ କହେନି…୧୦୨ ଜରରେ ଅଫିସ ଆସି କାମ କରୁଥିଲେ ବି ଫୋନ କରି ଭଲ ମନ୍ଦ ପଚାରନ୍ତିନି..ଏମିତି ସବୁ ଭାବିବା ଭିତରେ ଟାଇମ୍ ହେଇଗଲା, ମୁଁ ଅଫିସ ଛାଡ଼ିଲି…

ରାତିରେ ଡାଇନିଂ ପାଖରେ ବି ସେଇ ପ୍ରସଙ୍ଗ ଉଠାଇଲେ ଇଏ.. “ଜିତ୍ ଭାଇ (ମୋର ଏକମାତ୍ର ଭାଇ)ଙ୍କର ତ ବ୍ୟାଙ୍କ ଚାକିରୀ.. ମାମାଲି ଭାଉଜ (ମୋ ଭାଉଜ) ତ ଲେକଚର(ଭାଉଜ ଶୈଳବାଳା କଲେଜରେ ଥିବାରୁ ସେମାନେ କଟକରେ ରହନ୍ତି)..ଟଙ୍କା ଗଦା ଉପରେ ଶୋଉଛନ୍ତି ସେମାନେ.. ଦି ଟା ଘର କରିସାରିଲେଣି..ଦି ଟା ପ୍ଲଟ ଆହୁରି ପକେଇଛନ୍ତି..ତମ ବାପାଙ୍କ ପେନସନ ଟଙ୍କା କି ଯୋଉ ଘର ଅଛି ତାକୁ କ’ଣ ସେମାନେ ଚାହିଁ ବସିଛନ୍ତି..ବାପା ସବୁ ତମ ନାଁରେ ଲେଖିଦେବେ”..ଇଏ ହସି ହସି କଥା କହୁଥାଆନ୍ତି ସିନା ମୁଁ କିନ୍ତୁ ରକ୍ତ ଚାଉଳ ଚୋବାଉଥାଏ..ମୁହଁ ଖୋଲିଲେ ମହାଭାରତ ହେବା ଥୟ..”ଦେଖାଯାଉ ସମୟ କହିବ କ’ଣ ହେବ” ବୋଲି ମାପିଚୁପି ପଦିଏ ପାଟିରୁ ବାହାର କରି ହାତ ଧୋଇବାକୁ ପଳେଇଲି ମୁଁ ..

ରାତିରେ ଇଏ ଫୋନ୍ କୁ ସାଇଲେଣ୍ଟ ମୋଡ୍ କରି ଡାଇନିଂ ଟେବୁଲ୍ ଉପରେ ରଖିଦେଇଛନ୍ତି..୧୧ଟା ପାଖାପାଖି ବୋଉ ୟାଙ୍କ ନମ୍ବରକୁ ୩ଥର କଲ୍ କରିଛି..୧୨ଟା ବେଳକୁ ୬ ଥର କଲ୍ କରିଛି ଜିତ୍ ଭାଇ..ଭୋର ୫ଟାରେ ମୁଁ ଉଠି ଦେଖିଲି ଭାଇ ପୁଣି ୟାଙ୍କ ନମ୍ବରକୁ କଲ୍ କରୁଛି..ଫୋନ ଉଠେଇ ହ୍ୟାଲୋ କହିଲା ବେଳକୁ ଭାଇ କହୁଛି, “ଶିଶିର ଉଠିନାହାଁନ୍ତି କି ତାଙ୍କୁ ଟିକିଏ ଦଉନୁ”..ଭାଇ ଫୋନ୍ କରିଛି କହି ଯଦି ନିଦରୁ ଉଠେଇଲି ମୋ ଉପରେ ଚିଡ୍ ଚିଡ୍ ହେବେ..ନିଦ କମ୍ପ୍ଲିଟ୍ ହେଇନଥିଲା, ତମେ ଡାକିଦେଲ କହି ବାର କଥା ଶୁଣେଇବେ ଦିନସାରା..ସେ ବାଥରୁମ୍ ରେ ଅଛନ୍ତି କହି କଣ ହେଇଛି ବୋଲି ପଚାରିଲି ଭାଇକି..

“କାଲି ରାତି ୯ଟା ବେଳେ ବୋଉ ଫୋନ୍ କଲା.. ବାପାଙ୍କ ଦେହ ଭଲ ଲାଗୁନି ବୋଲି କହିଲା..ଆମେ ୯.୪୦ରେ ପହଞ୍ଚିଲୁ ଭୁବନେଶ୍ବରରେ..ଦେଖିଲା ବେଳକୁ ବାପା ବାଉଳି ଚାଉଳି ହେଇ କଥାବାର୍ତ୍ତା କରୁଛନ୍ତି…ଡର ଲାଗିଲା, ତେଣୁ ୧୦ଟା ସୁଦ୍ଧା ତାଙ୍କୁ ହସ୍ପିଟାଲ ନେଇଆସିଲୁ” ବୋଲି ଭାଇ କହିଲା..ବୟସ ୮୦ ଟପିଲାଣି..ସେପଟେ ସୁଗାର ଲେବଲ୍ ଲୋ ହେଇଯାଇଥିଲା ବୋଲି ଡାକ୍ତର କହିଲେ..ସାଲାଇନ୍, ଇଞ୍ଜେକସନ ପରେ ବାପା ପୁରା ରେଡି..ଗୋଟେ ଦିନ ଅବଜରଭେସନରେ ରଖିକି କାଲିକୁ ଡିସଚାର୍ଜ କରିଦେବେ ବୋଲି ଡାକ୍ତର କହିଛନ୍ତି ବୋଲି ଭାଇ କହିଲା..ରାତିରେ ତୁ ବ୍ୟସ୍ତ ହେଇପଡି଼ିବୁ ବୋଲି ବୋଉ ଆଉ ମୁଁ ଶିଶିରଙ୍କୁ କଲ୍ କରିଥିଲୁ ହସ୍ପିଟାଲରେ ପହଞ୍ଚିବା ପରେ..

ଉଠିବା ପରେ ୟାଙ୍କୁ ସବୁ ଜଣେଇଲି ମୁଁ..ଏଇ ସମୟରେ ଭାଇ ୟାଙ୍କୁ ଫୋନ୍ କଲା..ଶିଶିର ବାପା ତମକୁ ଖୋଜୁଛନ୍ତି..ଅଫିସ ଯିବାବେଳେ ହସ୍ପିଟାଲରେ ବାପାଙ୍କ ପାଖେ ଟିକିଏ ମୁହଁ ମାରି ଯିବାକୁ କହିଲା..ବୟସ ହେଲାଣି ତ..ହସ୍ପିଟାଲରେ ଆସିଛନ୍ତି ମାନେ ସମସ୍ତେ ତାଙ୍କୁ ଦେଖିବାକୁ ଆସନ୍ତୁ ବୋଲି ବାପା ଚାହୁଁଛନ୍ତି ବୋଲି ଭାଇ କହିଲା..ଭାଇକୁ ଫୋନରେ ହଁ ହାଁ ମାରିଦେଲେ ଇଏ..ଫୋନ ରଖିବା ପରେ ମୋ ଆଗରେ ଗରଗର ହେଇ କହିଲେ, “ଆଜି ଟିକିଏ ଜଲଦି ଯିବି ବୋଲି ଭାବିଥିଲି, important ମିଟିଂଟେ ଥିଲା..ଛାଡ଼”..

ବାପାଙ୍କୁ ଦେଖିବାକୁ ହସ୍ପିଟାଲ ଯିବାବେଳେ ଭାବୁଥିଲି ଆଇନର ସାହାରା ନେଇ ସମ୍ପତ୍ତିରେ ଅଧିକାର ବସେଇବା ଭାରି ସହଜ, କିନ୍ତୁ ନିଜ କର୍ତ୍ତବ୍ୟ ସଂପାଦନ କରିବା ଭାରି କଷ୍ଟ….

ଅଣୁ ଗପ
ଭୁବନେଶ୍ଵରୀ ପଣ୍ଡା