ଦେବୀ
‘ଧେତ୍ ଛାଡ ଏବେ ଅାଉ କଣ ପ୍ରେମରେ ପଡିବାର ବୟସ ଅଛି’ ନିଜକୁ ନିଜେ ବୁଝେଇ ଅଫିସ୍ ଛାଡିଲା ଦେବୀ l ସମଗ୍ର ସଂଧ୍ୟାଟା ଧୂମକେତୁ ଭଳି ସହରର ଏଣେ ତେଣେ ବୁଲିଲା, ଚାଟ୍ ଖାଇଲା, ଗୁପଚୁପ ଖାଇଲା, କଫି ପିଇଲା l ତା’ର ସବୁଠାରୁ ପ୍ରିୟ ଭେଜ୍ ମୋମୋ ଖାଇଲା l କିଛି ସପିଙ୍ଗ୍ ବି କଲା l ଘରକୁ ଫେରିବା ପରେ ବି ମନ ଥୟ ହେଉ ନଥିଲା । ଭିତରେ ଭିତରେ ଗୋଟେ ଅସ୍ଥିରତା ଲାଗି ରହିଥିଲା l ଅସ୍ତବ୍ଯସ୍ତ ଲାଗୁଥିଲା । ସେ ଠିକ୍ ବୁଝି ସାରିଥିଲା ଭିତରେ କଣ ଚାଲିଛି l ଅାଉ ତା ପଛରେ କାରଣ କଣ l ଦେବୀ ଛୋଟ ପିଲା ନୁହେଁ l ଯଥେଷ୍ଟ ବଡ ଓ ପରିପକ୍ୱ l ତେଣୁ ନିଜ ଭିତରେ ବହୁଥିବା ଝଡକୁ ନେଇ ବେଶି ବିବ୍ରତ ହେବାର ନଥିଲା, ବରଂ ଝଡ କେମିତି ଥମିବ ସେ ନେଇ ଭାବିବା ଦରକାର ଥିଲା । ରାତି ତମାମ ଭଲ ନଦି ବି ହେଲାନି l ପୁସ୍ତକ ମେଳାରୁ ଅାଣିଥିବା ବୁଦ୍ଧଙ୍କ ସମ୍ପର୍କରେ ସେହି ଚଟି ବହିଟା ଅାଜି ବେଶ୍ କାମଦେବ l ଶୋଇବାର ଉପକ୍ରମ କରିବା ଭିତରେ ବୋଧହୁଏ ରାତି ପାହିଯାଇଥିଲା ।
ଦେବୀ ଅନୁମାନ କରୁଥିଲା ୟା ଭିତରେ ଅାରପଟୁ ଫୋନ୍ ଅାସିପାରେ l ଶେଷ ପର୍ଯ୍ଯାୟ କଥା ବାର୍ତା ପାଇଁ ସେମାନେ ଅାସିପାରନ୍ତି l କିମ୍ବା ବାପା ଏପଟୁ ଯାଇ ପାରନ୍ତି । ଦେବୀର ଛୋଟିଅା ପୃଥିବୀରେ ହଠାତ୍ ଋତୁ ବଦଳି ଯାଇଥିଲା l ସବୁ କିଛି ନୂଅାନୂଅା ଲାଗୁଥିଲା ତାକୁ l ବୋଧହୁଏ ସେ ଯାହାକୁ ଅପେକ୍ଷା କରିଥିଲା ଏ ହେଉଛି ସେଇ ଠିକଣା l ବାପାଙ୍କ ମୋବାଇଲ୍ ରିଂ ହେଲା l କଟି ଗଲା l ପୁଣି ଥରେ ରିଂ ହେଲା କିନ୍ତୁ ବାପା ରିସିଭ୍ କରିପାରିଲେନି l ମା ଅାସି ବାପାଙ୍କ ଫୋନ୍ ଦେଖି କହିଲା ଯେ ମିଶ୍ର ବାବୁ ଫୋନ୍ କରିଛନ୍ତି । ଦେବୀ କାନରେ ଏ କଥା ପଡିଲା l ସେ ଚମକି ପଡିଲା l ବାପାଙ୍କ କଥାକୁ କାନ ଡେରିଲା l ବାପାଙ୍କ କଥା ସରିଲା ବେଳକୁ ଘର ସାରା ଲୋକ ସ୍ତବ୍ଧ ହୋଇଯାଇଥିଲେ l କାହାର କିଛି କରିବାର ନଥିଲା । ବାପା ଲଥ କରି ବସି ପଡିଲେ ସୋଫା ଉପରେ l ମା ମୁହଁକୁ ଚାହିଁ କହିଲେ, ସେ ପିଲାର ହାର୍ଟ ପ୍ରୋବଲେମ୍ ବାହାରିଛି l ଏବେ ସେ ୟୁନିଟ ଅାଠ ହସପିଟାଲରେ l ଦେବୀ ତାର ଶୋଇବା ଘର ଭିତରକୁ ଚାଲିଗଲା l କ୍ଷଣକ ଭିତରେ ଝାଉଁଳି ପଡିଲା ସେ l କାଲିଠାରୁ ସତେଜ ଦିଶୁଥିବା ତାର ମୁହଁଟା କଳାକାଠ ପଡିଗଲା l ସେ କାନ୍ଦିବି ପାରିଲାନି l ନିଜେ ନିଜକୁ ପ୍ରଶ୍ନ କଲା ‘ମୁଁ କାହା ପାଇଁ କାନ୍ଦିବି ଯେ? ତଥାପି ଥରେ ଯାଇ ଦେଖି ଅାସିବାକୁ ପଡିବ l ମଣିଷ ପଣିଅା ଦୃଷ୍ଟିରୁ ସେ ମୋର କେହି ନୁହଁ l ତଥାପି ଅନେକ କିଛି ସ୍ବପ୍ନ ଦେଖିଥିଲି ତାକୁ ନେଇ l ହୁଏତ ଘରେ କେହି ଯିବେନି ତାକୁ ଦେଖିବା ପାଇଁ l ବାପା ତ’ ମା ଅାଗରେ ତାଙ୍କ ପରିବାରର କଥା କହି ବିରକ୍ତ ହେଉଥିଲେ l ଯଦି ପିଲାଟାର ଏ ସମସ୍ଯା ଥିଲା ଲୁଚେଇଲେ କାହିଁକି ? ବରଂ ତାର ଏ ସମସ୍ଯା ପାଇଁ ବାପା ଭଗବାନଙ୍କୁ ଧନ୍ଯବାଦ ଦେଉଥିଲେ l ‘ଯା ହେଉ ବିଭାଘର ଅାଗରୁ ରୋଗଟା ବାହାରି ପଡିଛି’ ।
ହସପିଟାଲରେ ବେଡ୍ ପାଖରେ ଦେବୀ ପଥର ପରି ଛିଡା ହୋଇଥିଲା l ଅାଜି ସେ ଯେତକି ଗମ୍ଭୀର ଦିଶୁଥିଲା ପୂର୍ବରୁ କେବେ ହୁଏତ ଏମିତି ସ୍ଥିତିକୁ ଅାସି ନଥିଲା । ହସପିଟାଲର ବେଡ୍ ରେ ଶୋଇଥିବା ସେ ଲୋକଟା ଦେବୀର କେହି ନୁହେଁ l ତଥାପି କାହିଁକି କେଜାଣି ଦେବୀ ମନରେ ତା ପାଇଁ ଗୋଟେ ସହାନୁଭୁତି ମୁଣ୍ଡ ଟେକୁଥିଲା l ଦେବୀ ବଲବଲ କରି ଚାହୁଁଥିଲା ତଥାଗତଙ୍କ ମୁହଁକୁ l ଅନେକ କିଛି କହିବାର ଥିଲା କିନ୍ତୁ କିଛି ବି କହି ପାରୁ ନଥିଲା l ଦେବୀ ମନେ ମନେ ଭାବୁଥିଲା, ଲୋକଟାର ହୃଦୟ ଏତେ ଭଲ ତଥାପି କେମିତି ସେ ହୃଦୟଟାକୁ ରୋଗାକ୍ରାନ୍ତ କରିଦେଇଛନ୍ତି ଈଶ୍ୱର l ହଁ ମିଠା ଅାମ୍ବରେ ପୋକ ଲାଗିବା ପରି l ତଥାଗତ କଡ ଲେଉଟାଇବାର ଉପକ୍ରମ କରି ବିଫଳ ହେଲେ l ଦେବୀର ମୁହଁକୁ ଚାହିଁ ମୁରୁକି ହସିଲେ l କହିଲେ କ୍ଷମା କରିଦେବେ, ବୋଧହୁଏ ଈଶ୍ୱରଙ୍କ ଇଛା ଅାଉ କିଛି । ଦେବୀ ଅାଖିରେ ଲୁହ ଜକେଇ ଅାସିଲା l ନିଜ ଭାବପ୍ରବଣତାକୁ ସମ୍ଭାଳି ନେଇ ସେଠାରୁ ଫେରି ଅାସିଲା ସେ l ସହରର ଭିଡ ଭିତରେ ନିଜକୁ ସାମିଲ କଲା । କେଉଁ ଅାଡେ ହଜିଗଲା l ଦେବୀକୁ ନେଇ ଅନେକ କଥା ଓ କାହାଣୀ ପୂର୍ବପରି ସହରର ସଂଧ୍ୟା ଖଟିରେ ଘୁରି ବୁଲୁଥିଲା ।
ମାତୃଦତ ମହାନ୍ତି,
ମାର୍ଫତ: ତପସ୍ଯା, ମହାନ୍ତିପଡା, ପାଣ୍ଡିରି,
କେନ୍ଦ୍ରାପଡା, 9937722261