ସ୍ତ୍ରୀ ଲୋକଙ୍କ ଚାକିରୀ କଥା ଶୁଣିଲେ ମୋ ଖୁଡ଼ୀଙ୍କର ଦେହମୁଣ୍ଡ ସଲେ..ବନ୍ଧୁବାନ୍ଧବରେ କାହା ବୋହୂ ଚାକିରୀ କରୁଛି ଶୁଣିଲାମାନେ ଯାବତୀୟ ସମାଲୋଚନା କରନ୍ତି ଖୁଡ଼ୀ..ପାଠ ଦି ଅକ୍ଷର ପଡ଼ିଦେଲେ ଗଲା..ଚାକିରୀରୁ କ’ଣ ମିଳୁଛି..ପଇସା କ’ଣ ହେବ ବା.. ଏମିତି ସବୁ କଥା ବାହାରେ ଖୁଡ଼ୀଙ୍କ ମୁହଁରୁ…
ଖୁଡ଼ୀଙ୍କ ପୁଅ ସତୀଶ ଅଧ୍ୟାପକ..ସେ ଚାକିରୀ କରୁଥିବା କଲେଜର ଜଣେ ଅଧ୍ୟାପିକାଙ୍କୁ ପ୍ରେମ କରୁଥିଲା ବୋଲି ମୋ କାନରେ ବାଜିଥିଲା..ତେବେ ଖୁଡ଼ୀଙ୍କର ସେଇ ଗୋଟିଏ ଜିଦ୍ ମୋର ଚାକିରୀ କରୁଥିବା ବୋହୂ ଦରକାର ନାହିଁ..ସତୀଶର ହଁ, ଖୁଡ଼ୀଙ୍କର ନାହିଁ ଭିତରେ ଫସିଗଲେ କକେଇ…କିଛି ଦିନ ଯାଏଁ ଏଇ ଘଟଣାକୁ ନେଇ ଘରେ ମହାଭାରତ ହେଲା..ପରେ ଶୁଣିଲି ୨ ବର୍ଷ ଅପେକ୍ଷା ପରେ ସତୀଶର ସେଇ ପ୍ରେମିକା ଅନ୍ୟ ସ୍ଥାନରେ ବିବାହ କରିସାରିଛି…ତା ପରେ ପରେ ସତୀଶ ବି ଖୁଡ଼ୀଙ୍କ ପସନ୍ଦରେ ବିବାହ କଲା..
ଯାହା ବାହା-ବ୍ରତ, ଦଶାହ-ଏକାଦଶାହକୁ ଗଲେ ସ୍ତ୍ରୀ ଲୋକଙ୍କ ଚାକିରୀକୁ ନେଇ ଲମ୍ବା ଚଉଡ଼ା ଭାଷଣ ମାରନ୍ତି ଖୁଡ଼ୀ..”ମୋ ବାପ ଘର ଗାଁର ନବ ଭାଇନା ଚାକିରୀଆ ବୋହୂ କଲେ..କବିତା ଭାଉଜ ଏବେ ଖଟି ଖଟି ମରୁଛି..ରାତି ପାହିଲେ ବାସୀ କାମ ଠୁ ଆରମ୍ଭ କରି ଠାକୁର ପୂଜା, ସକାଳ ଜଳଖିଆ, ଦିପହର ରୋଷେଇ ସବୁ ଅଛି..ହେଲେ ନବ ଭାଇନା ବୋହୂ ୯ଟା ଭିତରେ ର-ଠ କରି କ’ଣ ଦିଟା ଫୁଟେଇ ସଜବାଜ ହେଇ ସ୍କୁଟି ଧରି ବାହାରିପଡୁଛି”..
ଆମ ଉପର ଘରେ ଯିଏ ଅଛନ୍ତି ତାଙ୍କ ବୋହୂ ଲଭଲି ବ୍ୟାଙ୍କରେ ଚାକିରୀ କରେ..ତାର ଦି ବର୍ଷର ଛୁଆଟାଏ..ସେ ସେମିତି ଅଫିସ ବାହାରି ଯାଏ ଯେ, ଶାଶୁ-ଶ୍ବଶୁର ପିଲାକୁ ଦିନମାନ ସମ୍ଭାଳନ୍ତି..ତା ସାଙ୍ଗକୁ ଘର କାମ ଯାହା ଯୋଉଠି ବାକି ପଡ଼ିଥାଏ, ବୁଡ଼ାବୁଡ଼ୀ କରନ୍ତି..ଏମିତି କେତେ କ’ଣ ଉଦାହରଣ ସବୁ ଷ୍ଟକ୍ ହେଇ ଥାଏ ଖୁଡ଼ୀଙ୍କ ଜିଭ ଅଗରେ..
ମୋ ବଡ଼ ଭଉଣୀ ସୁନନ୍ଦା ବି ସ୍କୁଲ ଟିଚର.. କୌଣସି ଭୋଜି ଭାତରେ ଯଦି ନାନୀ ସହ ଭେଟ ହୋଇଗଲା ଖୁଡ଼ୀଙ୍କର କଥା ସରିଲା..ଗୁରୁଜନ, ପୁଣି ଏତେ ଦିନ ପରେ ଭେଟ ହେଉଛନ୍ତି ବୋଲି ଖୁଡୀଙ୍କ ପାଖେ ଟିକେ ଯାଇ ବସିପଡ଼େ ନହେଲେ ଠିଆରେ ଠିଆରେ ଦି ପଦ ଗପ…ତା ଭିତରେ ବି ଖୁଡ଼ୀ ନାକରେ କାଠି ପୂରେଇ ଛିଙ୍କିଲା ଭଳିଆ ଆରମ୍ଭ କରନ୍ତି..ଚାକିରୀ ସିନା କଲୁ, ଦି ପଇସା ଦେଖିଲୁ, ଶାନ୍ତି ଟିକିଏ କେବେ ପାଉନଥିବୁ..ସ୍କୁଲକୁ ଦୌଡ଼ି ଦୌଡ଼ି, ପିଲାଙ୍କ ସାଙ୍ଗେ ବକର ବକର ହେଇ ଦେଖିଲୁ କି ସୁନ୍ଦର ଚେହେରା ତୋର କ’ଣ ଦେଖାଯାଉଛି..କଳା କାଠ ପଡ଼ିଗଲୁଣି ପୁରା..ଖୁଡ଼ୀଙ୍କ କଥା ମୋ କାନରେ ପଡ଼ିଲେ ମତେ ହସ ଲାଗେ..ନାନୀ ନିଜ ହେଲଥ, ଲୁକ୍ ପ୍ରତି ଭାରି ସଚେତନ…ସ୍ଲିମ ଚେହେରା, ଷ୍ଟ୍ରେଟ୍ ହେୟାରରେ ସେ କୌଣସି ହିରୋଇନ ଠାରୁ କମ୍ ଲାଗେନି..ବୟସ ୪୦ ଛୁଇଁଲାଣି ବୋଲି କେହି କହିବେନି..ଭାଇନା ଇଂଜିନିୟର..ଘରେ କାମ କରିବାକୁ, ରୋଷେଇ ପାଇଁ ଲୋକ ଅଛନ୍ତି..ତେଣୁ ଖୁଡ଼ୀଙ୍କ କଥା ଶୁଣି ମୁରୁକେଇ ମୁରୁକେଇ ହସେ ନାନୀ..
ମୋ ସ୍ତ୍ରୀ ପଲ୍ଲବୀ ଇନଫୋସିସ୍ ରେ ଇଂଜିନିୟର..ବାହାଘର ଠିକ୍ ହେବା ପରେ ଯେତେବେଳେ ଖୁଡ଼ୀ ଶୁଣିଲେ, ନାକ ଟେକିଲେ..ଚାକିରୀଆ ବୋହୂ କାହିଁକି କଲୁ ବୋଲି ବୋଉକୁ କେତେ କଥା ୟା ତା ଉଦାହରଣ ଦେଇ କହିଲେ..ତେବେ ଏବେ ଏବେ ପଲ୍ଲବୀର ଭାରି ପ୍ରଶଂସା କରନ୍ତି ଖୁଡ଼ୀ..
ବିନି ନାନୀ (ମୋ ବୋଉ) ତ ଅନେକ ଦିନ ଗାଁରେ ରହିଛନ୍ତି..ସ୍ମାର୍ଟ ଚାକିରୀଆ ବୋହୂ ସହ ଟିକିଏ ଆଡଜଷ୍ଟ କରିବାରେ ତାଙ୍କୁ ସମସ୍ୟା ହେଉଛି..ନହେଲେ ପଲ୍ଲବୀଟା ଭାରି ଭଲ ପିଲାଟା..ଚାକିରୀ କଲେ ବି ପଇସାକର ଗର୍ବ ଅହଙ୍କାର ତା ପାଖେ କେହି ପାଇବେନି ବୋଲି କହନ୍ତି ଖୁଡ଼ୀ..
ଖୁଡ଼ୀ ପ୍ରାୟ ସମୟ ଫୋନରେ ପଲ୍ଲବୀ ସହ କଥା ହୁଅନ୍ତି..ଶାଶୁ (ମୋ ବୋଉ)ବିରୋଧରେ ଥିବା ଅସନ୍ତୋଷକୁ ପଲ୍ଲବୀ ତାଙ୍କୁ କୁହେ..ଛୋଟମୋଟ ଘର କଥା ବି ଖୁଡ଼ୀଙ୍କି ଜଣାଏ..ଆଉ ବଦଳରେ ପାଏ ଅଜସ୍ର ପ୍ରଶଂସା, ଯାହା କୌଣସି ଚାକିରୀଆ ବୋହୂ ଆଜି ଯାଏ ଖୁଡ଼ୀଙ୍କ ଠାରୁ ପାଇନଥିଲେ…ଅଣୁ ଗପ