୩ ଦଫା ଦାବିନେଇ ଗର୍ଜିଲେ ପ୍ରାଥମିକ ଶିକ୍ଷକ ସଂଘ
ନୂଆ କୁ ଦେଲେ ପୁରୁଣାକୁ ଭୁଲିଗଲେ ସରକାର ଏପରି ଅଭିଯୋଗ କରି ୩ଦଫା ଦାବିନେଇ ଆଜି ବିଧାନସଭା ସମ୍ମୁଖରେ ଗର୍ଜିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ। ଆଜି ମାଷ୍ଟର କେଟିନ୍ ଠାରୁ ବାହାରି ଲଏର୍ ପିଏମଜି ପହଞ୍ଚିଥିଲେ ଏକ ଲକ୍ଷ ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ। ରାଜ୍ୟ ସରକାରଙ୍କ ଶିକ୍ଷାନିତି ଉପରେ ଖୁବ୍ ବର୍ଷିଥିଲେ ପ୍ରାଥମିକ ଶିକ୍ଷକ ସଂଘ। ଠିକା ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକଯୁବତୀ ମାନଙ୍କୁ ଶୋଷଣ କରୁଛନ୍ତି ରାଜ୍ୟ ସରକାର। ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ବିକାଶ, ସରକାରୀ ବିଦ୍ୟାଳୟକୁ ପ୍ରୋତ୍ସାହନ ଦେବା , ଗୁଣାତ୍ମକ ଶିକ୍ଷା ର ବିକାଶ ଆଦି କଥା ଚିନ୍ତା କରୁନାହାନ୍ତି ସରକାର। ରାଜ୍ୟ ସରକାରକୁ ସମାଲୋଚନା କରିବା ସହ ମୁଖ୍ୟ ୩ଟି ଦାବିନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ପ୍ରାଥମିକ ଶିକ୍ଷକ ସଂଘ।
ଦାବି ଗୁଡ଼ିକ ହେଲା-
୧. ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଛେଦ ସହ ୨୦୦୧ ମସିହାରୁ ନିଯୁକ୍ତି ହୋଇଥିବା ସମସ୍ତ ସେଚ୍ଚାସେବୀ ଶିକ୍ଷକଙ୍କୁ ସରକାରୀ ସେବା ରୁପେ ଗଣନା କରି ୬ଟି ଇନକ୍ରିମେଣ୍ତ ପ୍ରଦାନ।
୨.ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ।
୩. ୨୦୦୫ ମସିହାରୁ ନିଯୁକ୍ତି ପାଇଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ।
ଦାବି ପୂରଣ ନହେଲେ ଆଗାମୀ ଦିନରେ ଆଉ ଆନ୍ଦୋଳନ ଓହରିବେ ନାହିଁ ବରଂ ପ୍ରାଥମିକ ଶିକ୍ଷାରେ ଯେକୌଣସି ପରିସ୍ଥିତି ଉପୁଜିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ସଂଘ।