ବିକ୍ରମ ଦେବ କଲେଜକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

ଆଜି ଦିନିକିଆ ଜୟପୁର ଗସ୍ତ କରି ପ୍ୟାକେଜର ବର୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶିକ୍ଷା ଦିଗରେ ଆଉ ପାଦେ ଆଗେଇ ଅବିଭକ୍ତ କୋରାପୁଟ ଜିଲ୍ଲା। ଜୟପୁର ବିକ୍ରମଦେବ ସ୍ୱୟଂ ଶାସିତ କଲେଜ କୁ ମିଳିଲା ବିଶ୍ୱବିଦ୍ୟାଳୟର ମାନ୍ୟତା । ଶିକ୍ଷା ବିକାଶ ର ମୁଳ ସୋପାନ ହୋଇଥିବାରୁ ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ୱ ଦେବା ସହିତ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଯାହାକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ଦିପନା ଦେଖିବାକୁ ମିଳିଥିଲା । ନବୀନଙ୍କ ଜୟ ଜୟକାର ଧ୍ୱନିରେ କମ୍ପି ଉଠିଥିଲା ଜୟପୁର ମାଟି କହିଲେ ଅତ୍ୟୁକ୍ତି ହେବ ନାହିଁ। ବହୁ ଦିନର ଅପେକ୍ଷାର ଅନ୍ତ ଘଟିବା ସହିତ ଜୟପୁରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ଏନେଇ (୫-ଟି) ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ ଏହି ଅଡିଟୋରିଅମ ୧୦୦୦ ଆସନ ବିଶିଷ୍ଟ ହେବ ଏବଂ ଏଥିପାଇଁ ୮ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଆମ ଭିତରେ ଥିବା ସଂଭାବନାକୁ ବୃଦ୍ଧି କରିଥାଏ। ଯୁବସମାଜ ଉପରେ ତାଙ୍କର ପୁରା ଆସ୍ଥା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଭଲ ପାଠ ପଢନ୍ତୁ ଏବଂ ସମାଜ ସହିତ ଯୋଡି ହୋଇ ରୁହନ୍ତୁ । ନିଜର ତଥା ନିଜ ପରିବାରର ଏବଂ ସାରା ଓଡିଶାର ସ୍ବପ୍ନ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।

କୋରାପୁଟ ତାଙ୍କ ପାଇ ସବୁବେଳେ ସ୍ବତନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମିର ବିକାଶ ଜରିଆରେ କୋରାପୁଟର ବିକାଶ ପାଇଁ କାମ କରାଯାଉଛି। ଭିତ୍ତିଭୂମିର ଗୁରୁତ୍ବ ସଂପର୍କରେ ଉଦାହରଣ ଦେଇ ସେ କହିଲେ ଯେ ଗୋଟିଏ ଗୁରୁପ୍ରିୟା ସେତୁ ଆଜି ସ୍ବାଭିମାନ ଅଞ୍ଚଳରେ ବିକାଶର ନୂଆ ଧାରା ଆଣିପାରିଛି । ଭିତ୍ତିଭୂମି ହିଁ ବିକାଶର ଆଧାର ବୋଲି ସେ ମତବ୍ୟକ୍ତ କରି ସେ କୋରାପୁଟ ପାଇଁ ୧୫୯୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥିରେ ୨୦୭.୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥଇବା ବେଳେ ୧୩୭୮.୪୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ସେତୁ, ସଡକ, ପାନୀୟ ଜଳ, ଜଳସେଚନ, ବିଦ୍ୟୁତୀକରଣ ଓ ପର୍ଯ୍ୟଟନ ଆଦି ପ୍ରକଳ୍ପ କାମ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ, ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ଶ୍ରୀ ରଘୁରାମ ପେଡାଲ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମିତା ମେଲ୍ଲେକା ଏବଂ କୋରାପୁଟ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।